‘ଆନ୍ଧ୍ରକୁ ଇଞ୍ଚେ ବି ଜମି ଦେବାର ପ୍ରଶ୍ନ ଉଠୁନି’, ଭରସା ଦେଲେ ରାଜସ୍ବ ମନ୍ତ୍ରୀ, କହିଲେ ସରକାର ରଖିଛନ୍ତି ନଜର

Published By : Prameya-News7 Bureau | November 17, 2020 IST

ଭୁବନେଶ୍ବର ୧୭।୧୧: ଓଡିଶା ସୀମାରେ ଆନ୍ଧ୍ରପ୍ରଦେଶର ଦାଦାଗିରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ଏଥିପ୍ରତି ସଚେତନ ଅଛନ୍ତି । ଇଞ୍ଚେ ବି ଜମି ଦେବାର ପ୍ରଶ୍ନ ଉଠୁନି । ସେଠାରେ ଥିବା ଆମ ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ ଦିଆଯାଉଛି । ସୀମାନ୍ତ ଇଲାକାରେ ଏମିତି ହୁଏ ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଏଥିପାଇଁ ଆମେ ପୂର୍ବରୁ ଅଧିକାରୀଙ୍କୁ କହିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଓଡିଶାର ରାସ୍ତାକୁ ମାଡିବସି ଜୋର ଜବରଦସ୍ତ ନିଜର କହୁଛି ଆନ୍ଧ୍ର । ଯାହାକୁ ନେଇ ଓଡିଶା ସୀମାନ୍ତ ସମ୍ବାଇରେ ସୀମା ବିବାଦ ଧିରେ ଧିରେ ଜଟିଳ ହେଉଛି । ଏହି ସୀମାରେ ଉଭୟ ରାଜ୍ୟ ପଟୁ ସୀମା ନିର୍ଦ୍ଧାରଣ ପାଇଁ କୌଣସି ଫଳକ ନଥିବାରୁ ଏହାର ଫାଇଦା ନେଉଛି ଆନ୍ଧ୍ର । ବ୍ରିଟିଶ ଅମଳର ଗୋଟିଏ ମ୍ୟାପ୍ ଓ ପଥରର ଗୋଟିଏ ହୋଲ୍ କୁ ଆଧାର କରି ଏହାକୁ ହିଁ ସୀମା ବୋଲି ଧରିନେଇଛନ୍ତି ଆନ୍ଧ୍ରର ଲୋକେ । ହେଲେ ଏହାକୁ ଆନ୍ଧ୍ରର ଏକ ଚାଲ୍ ବୋଲି କହୁଛନ୍ତି ସୀମା ଏପଟେ ରହୁଥିବା ଓଡିଆମାନେ ।

ଓଡିଶାର ଗ୍ରାମ୍ୟ ଉନ୍ନୟନ ବିଭାଗ ବହୁ ବର୍ଷ ପୂର୍ବରୁ ସମ୍ବାଇ ସୁନାବେଡାରେ ପକ୍କା ରାସ୍ତା ନିର୍ମାଣ କରିଥିଲେ ବି ଏବେ କିନ୍ତୁ ଏହି ରାସ୍ତାର ୫୦୦ ମିଟର ନିଜ ଅକ୍ତିଆରକୁ ନେଇଛି ଆନ୍ଧ୍ର । କଥା ଏତିକିରେ ସରିନି ବରଂ ଆନ୍ଧ୍ର ଦ୍ବାରା ନିର୍ମିତ କଚା ରାସ୍ତାରେ ଓଡିଶା ସରକାର ଜୋର ଜବରଦସ୍ତ ପିଚୁ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି । ଏହାସହ ଓଡିଶାର ଫଳକ ବି ଭାଙ୍ଗି ଫିଙ୍ଗି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.