Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗରିବୀ ଯୋଗୁଁ ଖାଲି ପାଦରେ ଦୌଡ଼ୁଥିଲେ ରେବତୀ, ଏବେ ଦେଶର ନାଁ ରଖିବାକୁ ଯାଉଛନ୍ତି ଟୋକିଓ ଅଲିମ୍ପିକ୍‌

10/07/2021 at 9:58 PM

ନୂଆଦିଲ୍ଲୀ ୧୦/୭: ମଣିଷର ମୁସକିଲ୍‌, ଜିଦ୍‌, ଇଚ୍ଛାଶକ୍ତି, ଗରିବୀ, ଝାଳବୁହା ଖଟଣିରୁ ହିଁ କାହାଣୀ ତିଆରି ହୁଏ। ଏତେ ସହଜରେ କୌଣସି ଖେଳାଳି ରାତାରାତି ଦେଶର ନାଁ ରଖିବାକୁ ଟୋକିଓ ଅଲିମ୍ପିକ୍‌ରେ ପହଞ୍ଚିଯାଏ ନାହିଁ। ଆପଣଙ୍କୁ ଏମିତି ଜଣେ ଝିଅର କାହାଣୀ କହିବାକୁ ଯାଉଛୁ ସିଏ ଟୋକିଓ ଅଲିମ୍ପିକ୍‌ରେ ପହଞ୍ଚିଛନ୍ତି। କିନ୍ତୁ ଏ ଯାତ୍ରା ତାଙ୍କର ସହଜ ନଥିଲା। ପରିବାରରେ ଗରିବୀ ଥିଲେ ବି ରେବତୀ ବୀରାମଣି ପରାଜୟ ସ୍ବୀକାର କରିନଥିଲେ। ଏବେ ସେ ଟୋକିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।

ପିଲା ବେଳୁ ପିତା-ମାତାଙ୍କୁ ହରାଇଥିଲେ
ରେବତୀ ଯେତେବେଳେ ୭ ବର୍ଷର ହୋଇଥିଲେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ତାମିଲନାଡୁର ରେବତୀଙ୍କ ମା ମଧ୍ୟ ପିତାଙ୍କ ମୃତ୍ୟୁର ବର୍ଷକ ପରେ ମୃତ୍ୟୁବରଣ କରିଥିଲେ।

ଜେଜେ ମା’ ମୂଲ ଲାଗୁଥିଲେ
ରେବତୀ ଏବଂ ତାଙ୍କ ଭଉଣୀଙ୍କୁ ପିଲା ବେଳୁ ତାଙ୍କ ଜେଜେ ମା’ ସମ୍ଭାଳିଥିଲେ। ସେ ପରର ମୂଲ ଲାଗି ଦୁଇ ନାତୁଣୀ ଏବଂ ପରିବାର ପ୍ରତିପୋଷଣ କରୁଥିଲେ।

ଜୋତା କିଣିବାକୁ ଟଙ୍କା ନଥିଲା
ଗରିବୀର କଳାବାଦଲ ଭିତରେ ରେବତୀ ବଢ଼ିଆସିଥିବା ବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଖରେ ଜୋତା ନଥିଲା। ଏପରିକି ସେ ଖାଲି ପାଦରେ ଦୌଡ଼ୁଥିଲେ। ଥାଇପାରେ ଗିରିବୀ, ଥାଇପାରେ ଅଭାବ କିନ୍ତୁ ତାଙ୍କ ଭିତରେ ଥିବା ପ୍ରତିଭା ଥିଲା ଅନ୍ୟନ୍ୟ । ଏହାକୁ ଚିହ୍ନିପାରିଥିଲେ ତାଙ୍କ କୋଚ୍‌ କାନନ।

ସାହାଯ୍ୟ ପାଇଁ ଆଗେଇ ଆସିଲେ କାନନ
ରେବତୀକୁ କାନନ ଜୋତା ଦେଇଥିଲେ । ପରେ ତାଙ୍କର କଲେଜ୍‌ ଫିସ୍‌ ମଧ୍ୟ ଭରିଥିଲେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ‘ଯେତେବେଳେ ମୁଁ ଦେଖିଲି ଏକ ଛୋଟ ଗାଁରେ ରହି ରେବତୀଙ୍କ ଜେଜେ ମା ତାଙ୍କୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି।’

ଜେଜେ ମାଙ୍କୁ ଶୁଣିବାକୁ ମିଳୁଥିଲା ନିନ୍ଦା
ନାତୁଣୀଙ୍କୁ ଦୌଡ଼ିବାକୁ ପ୍ରୋତ୍ସାହିତ କରି ରେବତୀଙ୍କ ଜେଜେ ମାଙ୍କୁ ସମାଜର ନିଦା ଶୁଣିବାକୁ ମିଳୁଥିଲା। କିନ୍ତୁ ସେ ସମାଜର କଥାକୁ କର୍ଣ୍ଣପାତ କରିନଥିଲେ ଏବଂ ରେବତୀଙ୍କୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ।

ସଂଘର୍ଷ ପରେ ମିଳିଥିଲା ଚାକିରି
ଅନେକ ବର୍ଷ କଠିନ ପରିଶ୍ରମ କରିବା ପରେ ଦକ୍ଷିଣ ରେଳବାଇରେ ରେବତୀଙ୍କୁ ଚାକିରି ମିଳିଥିଲା। ରେବତୀ ୪୦୦ ମିଟର ଦୌଡ଼କୁ ୫୩.୫୫ ସେକଣ୍ଡରେ ପୂରା କରିଥିଲେ ।ଏହା ପରେ ସେ ଚାରି ଗୁଣ ୪୦୦ ମିଟର ମିଶ୍ରିତ ରିଲେ ଟୋକିଓ ଅଲିମ୍ପିକ୍‌ ପାଇଁ ଚୟନ ହୋଇଛନ୍ତି। ୨୩ ବର୍ଷୀୟ ରେବତୀ ଟ୍ରାଏଲ ପାଇଁ ଆସିଥିବା ଧାବିକାଙ୍କ ମଧ୍ୟରେ ଅଧିକ ବେଗରେ ଦୌଡ଼ୁଥିଲେ।

   Related Posts