ରେଭ୍ ପାର୍ଟିର ପର୍ଦାଫାଶ: ଟିଭି ରିଆଲିଟି ଶୋ' ଓ ଫିଲ୍ମ ଜଗତର ୫ ମହିଳା ସମେତ ୨୨ ଗିରଫ

Published By : Prameya-News7 Bureau | June 27, 2021 IST

ନାସିକ ୨୭/୦୬ : ମହାରାଷ୍ଟ୍ର ନାସିକ ଜିଲ୍ଲା ଇଗତପୁରୀରେ ରବିବାର ଦିନ ଚାଲିଥିବା ରେଭ୍ ପାର୍ଟିର ପର୍ଦାଫାଶ କରିଛି ପୋଲିସ। ଘଟଣାସ୍ଥଳରୁ ୨୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ୧୨ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଟିଭି ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଥିଲେ। ଆଉ ୪ ଜଣ ମହିଳା ଦକ୍ଷିଣ ଭାରତୀୟ ଫିଲ୍ମ ଉଦ୍ୟୋଗ ସହ ଜଡିତ। ନାସିକ ଗ୍ରାମୀଣ ପୋଲିସ ଅଧିକ୍ଷକ ସଚିନ ପାଟିଲ କହିଛନ୍ତି ଯେ ଗୁପ୍ତ ସୂଚନା ଆଧାରରେ ଭିଲ୍ଲାରେ ଚଢ଼ଉ କରାଯାଇଥିଲା।

ସେ କହିଛନ୍ତି ଯେ ନିକଟରେ ଥିବା ଦୁଇଟି ଭିଲ୍ଲା, ସ୍କାଇ ତାଜ୍ ଓ ସ୍କାଇ ଲାଗୁନରେ ଏକ ରେଭ୍ ପାର୍ଟି ଚାଲିଥିଲା। ଚଢ଼ଉ ବେଳେ ପୋଲିସ ୧୨ ମହିଳା ଓ ୧୦ ପୁରୁଷଙ୍କୁ ଗିରଫ କରିଛି। ଏମାନେ ଡ୍ରଗ୍ସ ସେବନ କରୁଥିଲେ ଓ ହୁକ୍କା ଟାଣୁଥିଲେ। ମହିଳାମାନଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ଟିଭି ରିଆଲିଟି ଶୋ'ର ପ୍ରତିଯୋଗୀ ଥିଲେ। ଅଭିଯୁକ୍ତଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି। ଏସପି କହିଛନ୍ତି ଯେ ସେମାନଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ରେଭ ପାର୍ଟି ଆୟୋଜନରେ ଯେଉଁମାନେ ସାହାଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ପୋଲିସ ଖୋଜୁଛି। ନିଶା ଦ୍ରବ୍ୟ ଛଡା ଗୋଟିଏ କ୍ୟାମେରା, ଗୋଟିଏ ଟ୍ରାଇପେଡ଼ ଓ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇଛି। ଚଢ଼ଉ ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ମୁମ୍ବାଇ ପଠାଯାଇଛି। ମାମଲାରେ ମୁମ୍ବାଇରୁ ଜଣେ ନାଇଜେରିଆ ନାଗରିକଙ୍କୁ କାବୁ କରାଯାଇଛି। ଇଗତପୁରୀ ମୁମ୍ବାଇରୁ ପ୍ରାୟ ୧୨୦ କିଲୋମିଟର ଦୂର ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଅବସ୍ଥିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.