ଦିଲ୍ଲୀ ତିସ ହଜାରି କୋର୍ଟରେ ପୋଲିସ ଓକିଲ ଗଣ୍ଡଗୋଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ ୦୩।୧୧ -ଦିଲ୍ଲୀ ତିସ ହଜାରି କୋର୍ଟରେ ଗତକାଲି ହୋଇଥିବା ପୋଲିସ ଓକିଲ ଗଣ୍ଡଗୋଳ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ଅତି ଗୁରୁତ୍ବର ସହିତ ନେଇଛନ୍ତି  ଦିଲ୍ଲୀ ହାଇକୋର୍ଟ । ଓକିଲଙ୍କ ବିରୋଧରେ କୌଣସି ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ନନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟ ବିଚାରପତି ଘଟଣାକୁ ନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ସହିତ ଆଲୋଚନା କରିଥିବା ବେଳେ ଏହାକୁ ନେଇ ଜୋର ଧରିଲାଣି ରାଜନୀତି।

ପୋଲିସ-ଓକିଲ ଖଣ୍ଡଯୁଦ୍ଧ । ଦିଲ୍ଲୀ ତିସ୍‌ ହଜାରୀ କୋର୍ଟରେ ଗତକାଲି ଯାହା ଘଟିଲା ତାକୁ ନେଇ ଆଜି ଦିନ ତମାମ ଲାଗି ରହିଥିଲା ଆକ୍ସନ ଓ ରିଆକ୍ସନ।  ଘଟଣାକୁ ଅତି ଗୁରୁତ୍ବର ସହିତ ନେଇଥିବା ଦିଲ୍ଲୀ ହାଇକୋର୍ଟ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଏସପି ଗର୍ଗ ଏହାର ତଦନ୍ତ କରିବେ। ଏଥିସହିତ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଆଜି ଦିଲ୍ଲୀ ପୋଲିସ କମିଶନ ଅମୂଲ୍ୟ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଦିଲ୍ଲୀ ହାଇକୋର୍ଟକୁ ପୋଲିସ କମିଶନର ଜଣାଇଥିଲେ ଯେ  ଘଟଣାକୁ ନେଇ ଏସଆଇଟି ଗଠନ କରାଯାଇଛି। ଏବଂ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।  ତୋବେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଆହତ ଓକିଲମାନଙ୍କର ବୟାନ ରେକର୍ଡ କରିବା ପାଇଁ। ଏଥିସହିତ ଘଟଣାରେ ସଂପୃକ୍ତ ଦୁଇ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିବା ଲାଗି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କ ସହିତ ବାର କାଉନସିଲଗୁଡ଼ିକ ନୋଟିସ୍‌ ଜାରି କରିଛନ୍ତି।

ଏକ ସାମାନ୍ୟ ପାର୍କିଂକୁ ନେଇ ତିସ ହଜାରୀ କୋର୍ଟ ସାମ୍ନାରେ ପୋଲିସ ଏବଂ ଓକିଲ ମୁହାଁମୁହିଁ ହୋଇଥିଲେ । ପୋଲିସ ଗାଡ଼ି ଏବଂ ଜଣେ ଓକିଲଙ୍କ ଗାଡ଼ି ଧକ୍କା ହେବା ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହି ଖଣ୍ଡଯୁଦ୍ଧରେ ୨୦ ଜଣ ଆହତ ହୋଇଥିଲେ । ଏପରିକି ପୋଲିସର ଗୁଳିଚାଳନାରେ ଜଣେ ଓକିଲ ମଧ୍ୟ ଆହତ ହୋଇଥିଲେ। ସେହିପରି ପୋଲିସର ଏକ ଗାଡ଼ିକୁ କିଛି ଦୁର୍ବୃତ୍ତ ପୋଡିଦେଇଥିଲେ। ଯାହାକୁ ନେଇ ଉଭୟ ପକ୍ଷରୁ ଏକାଧିକ ଏତଲା ଦିଆଯାଇଛି। ସେପଟେ ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଡାକ୍ତରଖାନା ଯାଇ ଆହତ ଓକିଲଙ୍କୁ ଭେଟିଛନ୍ତି । ସେପଟେ ସେଣ୍ଟ ଷ୍ଟିଫେନ୍‌ସ ହସ୍ପିଟାଲରେ ଓକିଲ ଏବଂ ସାମ୍ବାଦିକ ମଧ୍ୟ ମୁହାଁ ମୁହିଁ ହୋଇଛନ୍ତି।

- ପୋଲିସ ଓ ଓକିଲ ବିବାଦ ଏହା ପ୍ରଥମ ଘଟଣା ନୁହେଁ ।  ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ଏଭଳି ଗଣ୍ଡଗୋଳର ଘଟଣା ମାନ ସାମ୍ନାକୁ ଆସିଛି । ତେଣୁ ଦିଲ୍ଲୀ ହାଇକୋର୍ଟ ଏହି ଘଟଣା ଉପରେ କି ଆଭିମୁଖ୍ୟ ରଖୁଛନ୍ତି ତା ଉପରେ ମଧ୍ୟ ଦେଶର ଅନ୍ୟ ଭାଗ ନଜର ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.