ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ : ମର୍ଣ୍ଣିଂ ୱାକ୍ ବେଳେ ତଳେ ପଡିଗଲେ, ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନଥିଲା ପ୍ରାଣ

Published By : Prameya-News7 Bureau | October 29, 2020 IST

ଭୁବନେଶ୍ବର ୨୯।୧୦: ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ମିଲନ ଜାମ୍ମୁ-କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଥିଲେ । ମିଲନ ମହାନ୍ତି ବୁଧବାର ସକାଳ ୯ଟା ବେଳେ ଘର ନିକଟସ୍ଥ ଫରେଷ୍ଟ ପାର୍କରେ ମର୍ଣ୍ଣିଂ ୱାକ୍‌ କରୁଥିଲେ । ହଠାତ୍‌ ଭାରସାମ୍ୟ ହରାଇ ତଳେ ପଡ଼ିଗଲେ । ସିମେଣ୍ଟ ପାହାଚରେ ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା । ମୁଣ୍ଡର ପଛପାର୍ଶ୍ବରୁ ରକ୍ତ ଝରିବାକୁ ଲାଗିଲା । ଅନ୍ୟମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ । ସେଠାରେ ଡାକ୍ତର ଡିଜିପିଙ୍କୁ ମୃତ ଘୋଷଣା କରିଥିଲା ।

କେଉଁ କାରଣ ଯୋଗୁଁ ତାଙ୍କର ଏଭଳି ମୃତ୍ୟୁ ହେଲା, ତାହା ଜଣା ପଡି଼ନାହିଁ । କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡାକ୍ତର କହିଛନ୍ତି, ତଳେ ପଡି଼ଯିବା ଯୋଗୁଁ ତାଙ୍କର ମୁଣ୍ଡର ପଛପାର୍ଶ୍ବରେ ଆଘାତ ଲାଗିଥିଲା । କିନ୍ତୁ ଏହି ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିବା ସମ୍ଭବ ହୋଇ ନପାରେ । ପୂର୍ବରୁ ସେ ହୃଦ୍‌ରୋଗରେ ପୀଡି଼ତ ଥିଲେ । ହଠାତ୍‌ ହାର୍ଟ ଆଟାକ୍‌ ହୋଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ୧୯୭୧ ବ୍ୟାଚ୍‌ର ଆଇପିଏସ୍‌ ମିଲନ ଜାମ୍ମୁ ଓ କାଶ୍ମୀରରେ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ୧୦ ବର୍ଷ ତଳେ ସେ ଏହି ପଦବୀରୁ ଅବସର ନେଇଥିଲେ । ଉଲ୍ଲେଖନୀୟ ସେବା ପାଇଁ ଚାକିରି ଜୀବନରେ ସେ ଏକାଧିକ ମେଡାଲ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.