ଜାମ୍ମୁ-କାଶ୍ମୀରର ଲକ୍ଷହୀନ ଯୁବପୀଢ଼ିଙ୍କ ଭବିଷ୍ୟତ ଗଢ଼ୁଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ: ଦେଉଛନ୍ତି ଟ୍ରେନିଂ, ପଢ଼ାଉଛନ୍ତି ପାଠ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯: ଭାରତୀୟ ସେନାର ଗୌରବ ଗାଥା କେବଳ ଭାରତ ନୁହେଁ ପୁରା ବିଶ୍ବରେ ଗୁଞ୍ଜରିତ ହେଉଛି। ଏହା ଦେଖିବା ପରେ ଯୁବପୀଢ଼ିଙ୍କ ମନରେ ଭାରତ ମା’ର ସେବା କରିବାକୁ ଅଦମ୍ୟ ଇଚ୍ଛା ସୃଷ୍ଟି ହେଉଛି । ଭାରତୀୟ ସେନାରେ ଭର୍ତ୍ତୀ ହେବାକୁ ହେଲେ ମନୋବଳ ସାଙ୍ଗକୁ ଶାରୀରିକ ସକ୍ଷମତାର ଆବଶ୍ୟକ ପଡ଼େ । ତେଣୁ ଯୁବକ-ଯୁବତୀମାନଙ୍କୁ ଭଲ ଟ୍ରେନିଂର ଆବଶ୍ୟକତା ରହିଛି । ପୂର୍ବରୁ ଜମୁ-କାଶ୍ମୀର କହିଲେ ଆତଙ୍କବାଦ ଓ ପଥଭ୍ରଷ୍ଟ ଯୁବପୀଢ଼ିଙ୍କ ସ୍ଥାନ ବୋଲି ଜଣାଯାଉଥିଲା । କିନ୍ତୁ ଏହାର ମାନେ ନୁହେଁ ସେଠାରେ ଭାରତକୁ ଭଲପାଉଥିବା ଲୋକ ନଥିଲେ । ଥିଲେ କିନ୍ତୁ ସେମାନଙ୍କ ସ୍ବରକୁ ଚାପିଦେବାକୁ ଉଦ୍ୟମ ହେଉଥିଲା ।

 କିନ୍ତୁ ଏବେ ସେଠାରେ ଦେଶଭକ୍ତିର ନିଦର୍ଶନ ଦେଖିବାକୁ ମିଳୁଛି। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସେଠାକର ଲକ୍ଷହୀନ ଯୁବକ-ଯୁବତୀଙ୍କୁ ବିନାମୂଲ୍ୟରେ ସେନାରେ ଭର୍ତ୍ତୀ ପାଇଁ ଟ୍ରେନିଂ ଦେଉଛନ୍ତି । କ୍ୟାପ୍ଟେନ ସେର ସିଂହ ଅବସର ପରେ ଯୁବପୀଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛନ୍ତି । ୨୦୧୧ରୁ ସେ ଏହି ପ୍ରୟାସ ଆରମ୍ଭ କରିଥିବା ବେଳେ ଏବେ ସେର୍‌ ସିଂହଙ୍କ ଅଭ୍ୟାସ ଶିବିରରେ ଲାଗୁଛି ଯୁବକ-ଯୁବତୀଙ୍କ ଭିଡ଼ ।

 ଗୋଟିଏ ଲକ୍ଷ୍ୟ କ୍ୟାପ୍ଟେନ ସେର ସିଂହଙ୍କ ପାଖରୁ ଟ୍ରେନିଂ ନେବେ​‌ ଆଉ ଭାରତୀୟ ସେନାରେ ଯୋଗଦାନ କରି ଭାରତ ମା’ର ସେବା କରିବେ। ଏହି ୯ ବର୍ଷ ମଧ୍ୟରେ କ୍ୟାପ୍ଟେନ୍‌ ସେର୍‌ ସିଂହଙ୍କ ଶିବିରରୁ ଯୁବତୀଙ୍କ ସମେତ ୩୬୦୦ ପିଲା ଭାରତୀୟ ସେନାରେ ଭର୍ତ୍ତୀ ହୋଇସାରିଛନ୍ତି। ୩୧ ବର୍ଷ ସେନାରେ ଚାକିରୀ କରିବା ପରେ ସେର୍‌ ସିଂହ ଏବେ ଯୁବକ-ଯୁବତୀଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି । ଶାରୀରିକ ପ୍ରଶିକ୍ଷଣ ସାଙ୍ଗକୁ ଲିକ୍ଷିତ ପରୀକ୍ଷାରେ ପାସ୍‌ କରିବା ପାଇଁ ମଧ୍ୟ ପିଲାମାନଙ୍କ ପାଇଁ ମାଗଣାରେ ପଢ଼ିବା ବ୍ୟବସ୍ଥା କରିଛନ୍ତି ସେର ସିଂହ । ଅବସର ପୂର୍ବରୁ କେରଳରେ ଚାକିରୀରେ ଥିବା ବେଳେ ୨ ବର୍ଷ ସେଠାକର ପିଲାଙ୍କୁ ସେ ଟ୍ରେନିଂ ଦେଇଛନ୍ତି।

ପ୍ରଥମେ ସବୁଦିନ ସନ୍ଧ୍ୟାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ ସେର ସିଂହ। ପରେପରେ ଲୋକପ୍ରିୟତା ବଢ଼ିବା ପରେ ଲକ୍ଷହୀନ ଯୁବକ-ଯୁବତୀଙ୍କ ଭିଡ଼ ଜମିବାରୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ରେନିଂ ଆରମ୍ଭ କରିଥିଲେ ଅବସରପ୍ରାପ୍ତ କ୍ୟାପ୍ଟେନ । ହାପି ସିଂହ ନାମଙ୍କ ଜଣେ ଆଶାୟୀ ସେର ସିଂହଙ୍କୁ ଖୁବ ପ୍ରଶଂସା କରିଛନ୍ତି। ତାଙ୍କ ମତରେ ସେ ଲିକ୍ଷିତ ପରୀକ୍ଷା​‌ରେ ପାସ୍‌ କରିଛନ୍ତି। ଏହାସହ ଶରୀରିକ ପରୀକ୍ଷାରେ ସେ ସବୁଠୁ ଆଗରେ ରହିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଉ ଜଣେ ଆଶାୟୀ ଗୌରବ ଚୌଧୁରୀ କହିଛନ୍ତି, ସେର ସିଂହ ସେମାନଙ୍କୁ ଉଭୟ ଫିଜିକାଲ୍‌ ଓ ଆକାଡେମିକ୍ ଶିକ୍ଷା ପ୍ରଦାନ କରୁଛନ୍ତି ଯାହାକି ସେନାରେ ଭର୍ତ୍ତୀ ପାଇଁ ଖୁବ୍‌ କାମରେ ଆସିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.