କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

Published By : Prameya-News7 Bureau | May 28, 2019 IST

ଭୁବନେଶ୍ୱର ୨୮|୫: କ୍ୟାପିଟାଲ  ହସ୍ପିଟାଲରେ  ଆରମ୍ଭ  ହୋଇଛି  ରେଟିନା  ଅସ୍ତ୍ରୋପଚାର  ।  ସୁନେତ୍ର  ଯୋଜନାରେ  ଆରମ୍ଭ  ହୋଇଥିବା  ଏହି ଅତ୍ୟାଧୁନିକ  ବ୍ୟୟବହୁଳ  ଚିକିତ୍ସା  ଚକ୍ଷୁରୋଗୀମାନଙ୍କୁ  ସମ୍ପୂର୍ଣ୍ଣ  ମାଗଣାରେ  ଯୋଗାଇ  ଦିଆଯାଉଛି  ।  ସୁନେତ୍ର  ଯୋଜନାରେ ଚକ୍ଷୁରୋଗୀଙ୍କୁ  ସମସ୍ତ  ପ୍ରକାର  ଅତ୍ୟାଧୁନିକ  ଚିକିତ୍ସାସେବା  ବିନା  ମୂଲ୍ୟରେ  ଯୋଗାଇଦେବା  ସହିତ  ନିର୍ଦ୍ଦିଷ୍ଟ  ସମୟସୀମା ମଧ୍ୟରେ  ଅନ୍ଧତ୍ୱ ଦୂରୀକରଣ  ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ  କରିଛନ୍ତି ।   ଯୋଜନାର ସଫଳ  କାର୍ଯ୍ୟକାରିତା  ପାଇଁ  ସ୍ୱାସ୍ଥ୍ୟ  ଓ  ପରିବାର  କଲ୍ୟାଣ  ବିଭାଗର  କମିଶନର ତଥା  ଶାସନ  ସଚିବ   ଡାକ୍ତର  ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ  କ୍ରମେ ସୁନେତ୍ରର  ମୁଖ୍ୟ  କାର୍ଯ୍ୟନିର୍ବାହୀ  ଅଧିକାରୀ ତଥା ରାଜ୍ୟ ଔଷଧ  ନିଗମର ପରିଚାଳନା

ନିର୍ଦ୍ଦେଶିକା  ଅର୍ଚ୍ଚନା  ପଟ୍ଟନାୟକ  ଏ  କ୍ଷେତ୍ରରେ  ତ୍ୱରିତ  ପଦକ୍ଷେପ  ଗ୍ରହଣ  କରି  ଆବଶ୍ୟକ  ସମସ୍ତ  ଅତ୍ୟାଧୁନିକ  ଯନ୍ତ୍ରପାତି କ୍ୟାପିଟାଲ ହସ୍ପିଟାଲ ସମେତ ମେଡିକାଲ କଲେଜ ଗୁଡିକ ଯୋଗାଇ ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ଆବଶ୍ୟକ ହେଉଥିବା ଅତ୍ୟାଧୁନିକ ଓଟିର ମଧ୍ୟ ବ୍ୟବସ୍ଥା କରିଛନ୍ତି ।

ରେଟିନା  ଅସ୍ତ୍ରୋପଚାର  ପାଇଁ  ପ୍ରସ୍ତୁତି  ଆରମ୍ଭ  ହେବାପରେ  କ୍ୟାପିଟାଲ  ହସ୍ପିଟାଲର  ଚକ୍ଷୁରୋଗ  ବିଶେଷଜ୍ଞ  ଡାକ୍ତର  ଅଶ୍ୱିନୀ ମେହେର୍ଦ୍ଦା ଏଥିପାଇଁ ଦିଲ୍ଲୀ ଏମ୍‍ସକୁ ଯାଇଁ ତାଲିମ ଗ୍ରହଣ କରିଥିଲେ । ଅତ୍ୟାଧୁନିକ ପଦ୍ଧତିରେ କରାଯାଉଥିବା ଏହି ଜଟିଳ ଅସ୍ତ୍ରୋପଚାର  ସଂକ୍ରାନ୍ତରେ  ଶ୍ରୀମତୀ  ମେହେର୍ଦ୍ଦା  ତାଲିମ  ନେଇ  ଆସିବାରେ  କ୍ୟାପିଟାଲ  ହସ୍ପିଟାଲରେ  ଚଳିତ  ମାସ  ୨୬ ତାରିଖରୁ ଏହା ଆରମ୍ଭ ହୋଇଛି । ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ଏ ଦିଗରେ ସମସ୍ତ ପ୍ରକାର ସହାୟତା  ପ୍ରଦାନ  କରୁଛନ୍ତି ।  ଉଲ୍ଲେଖନୀୟ  ଯେ  ବେସରକାରୀ  ସ୍ତରରେ  ରେଟିନା  ଅସ୍ତ୍ରୋପଚାର  ପାଇଁ  ରୋଗୀଙ୍କୁ  ୬୦ରୁ

୭୦  ହଜାର  ପର୍ଯ୍ୟନ୍ତ  ଟଙ୍କା  ବ୍ୟୟ  କରିବାକୁ  ପଡୁଥିବାବେଳେ  କ୍ୟାପିଟାଲ  ହସ୍ପିଟାଲରେ  ଏହା  ସମ୍ପୂର୍ଣ୍ଣ  ମାଗଣାରେ କରାଯାଉଛି  ।  ଏଥିସହିତ  ଦୈନିକ  ପ୍ରାୟ  ୧୦  ରୁ  ୧୫ଜଣ  ରୋଗୀଙ୍କର  ମୋତିଆବିନ୍ଦୁ  ଅସ୍ତ୍ରୋପଚାର  ହେଉଥିବା  ଡାକ୍ତର ମେହେର୍ଦ୍ଦା  ସୂଚନା  ଦେଇଛନ୍ତି  ।  ସମସ୍ତ  ଚକ୍ଷୁ  ଚିକିତ୍ସା  ମାଗଣାରେ  ଯୋଗାଇ  ଦିଆଯାଉଥିବାବେଳେ  ମଧୁମେହରେ  ଆକ୍ରାନ୍ତ ହୋଇ ଚକ୍ଷୁରେ ଗ୍ଲୁକୋମା ସମସ୍ୟା ଭୋଗୁଥିବା ରୋଗୀଙ୍କୁ ମଧ୍ୟ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ସମ୍ପୂର୍ଣ୍ଣ ମାଗଣାରେ

ଦିଆଯାଉଛି । ଗୋଟିଏ ଇଞ୍ଜେକସନର ମୂଲ୍ୟ ଖୋଲା ବଜାରରେ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡୁଛି । କ୍ୟାପିଟାଲ ହସ୍ପିଟାଲରେ  ସୁନେତ୍ର  ଯୋଜନାରେ  ଆରମ୍ଭ  ହୋଇଥିବା  ବ୍ୟୟବହୁଳ  ରେଟିନା  ଅସ୍ତ୍ରୋପଚାର  ରାଜ୍ୟର  ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ବୋଲି ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.