ବିହାରରେ କେତେବେଳେ ବି ଓଲଟିପାରେ ବାଜି, ୨୦ ସିଟ୍‌ରେ ଭୋଟ୍ ବ୍ୟବଧାନ ୧୦୦୦ରୁ କମ, ବଢୁଛି ଉତ୍କଣ୍ଠା

Published By : Prameya-News7 Bureau | November 10, 2020 IST

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଏ ପର୍ଯ୍ୟନ୍ତ ଆସୁଥିବା ଟ୍ରେଣ୍ଡରେ ଏନଡିଏ ବହୁମତ ହାସଲ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମହାମେଣ୍ଟ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏକୁ କଡା ଟକ୍କର ଦେଉଛି। ଉଭୟଙ୍କ ମଧ୍ୟରେ ସିଟ୍‌ ବ୍ୟବଧାନ କମ ରହିଛି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ନିର୍ବାଚନକୁ ନେଇ କୌଣସି ଅନୁମାନ କରିବା ତରବରିଆ ହେବ। ଆୟୋଗ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ରାଜ୍ୟର ୨୦ଟି ଆସନରେ ଭୋଟ୍ ବ୍ୟବଧାନ ୧୦୦୦ରୁ କମ ରହିଛି। ତେଣୁ ବିହାରର ଫଳାଫଳ କେତେ ବେଳେ କେଉଁ ମୋଡ୍ ନେବ ଏବେଠୁ କହି ହେବ ନାହିଁ।

ସେହି ପରି ୪୮ଟି ଆସନରେ ଭୋଟ୍ ବ୍ୟବଧାନ ୩ ହଜାରରୁ କମ ରହିଛି। ୧୩ଟି ଆସନରେ ଭୋଟ୍‌ ଅନ୍ତର ୫୦୦ରୁ ବି କମ ରହିଛି। ଏମିତି ୪ଟି ସିଟ୍‌ ରହିଛି ଯେଉଁଠି ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ୨୦୦ରୁ କମ ରହିଛି। ଅର୍ଥାତ ଗଣତି ଯେତିକି ଯେତିକି ଆଗକୁ ବଢିବ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ବର୍ତ୍ତମାନ ଏନଡିଏ ଆଗରେ ରହିଛି। ତେଣୁ ମହାମେଣ୍ଟର ନେତାଙ୍କ ଚେହେରାରେ ନିରାଶର ମାହୋଲ ରହିଛି। ମାତ୍ର ମେଣ୍ଟ ହାର ମାନିନାହିଁ। ଆରଜେଡି ନେତା କହୁଛନ୍ତି ରାତିରେ ଲଣ୍ଠନ ଜଳିବ। ଏନଡିଏ ଏବଂ ମହାମେଣ୍ଟ ଭିତରେ ଯେମିତି କଡା ମୁକାବିଲା ଚାଲିଛି ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

ବଡ  କଥା ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୨.୨୯ କୋଟି ଭୋଟ୍ ଗଣତି ହୋଇଛି ଏବଂ ପ୍ରାୟ ୧ କୋଟି ୪୫ ଲକ୍ଷ ଭୋଟ୍ ଗଣତି ଏବେ ମଧ୍ୟ ବାକି ରହିଛି। ଅନେକ ଆସନରେ ପ୍ରଥମ ଏବଂ ଦ୍ଵିତୀୟରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବହୁତ କମ ରହିଛି। ଉଲ୍ଲେଖନୀୟ  ବିହାର ବିଧାନସଭା ନିର୍ବାଚନରେ ମୋଟ୍ ୪ କୋଟି ୧୦ ଲକ୍ଷ ଭୋଟର ମତଦାନ କରିଛନ୍ତି।

ଏଥର ନିର୍ବାଚନ ଘୋଷଣା କିଛିଟା ବିଳମ୍ବ ଘଟିପାରେ। କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ୭୨,୭୨୩ରୁ ବଢାଯାଇ ୧,୦୬, ୫୧୫ କରାଯାଇଥିଲା। ପୋଲିଂ ବୁଥ୍ ୪୬.୫ ପ୍ରତିଶତ ବୃଦ୍ଧି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.