ଏପ୍ରିଲ ୧୫ ଯାଏଁ ବଢିଲା କରୋନା କଟକଣା, ଆବଶ୍ୟକ ହେଲେ ପୁଣି ବଢିପାରେ ଅବଧି

Published By : Prameya-News7 Bureau | March 17, 2020 IST

ଭୁବନେଶ୍ବର ୧୭।୩: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା ବଢାଇ ଦିଆଯାଇଛି । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଥିବା ବିଭିନ୍ନ କଟକଣାକୁ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡିଲେ ପୁଣି କଟକଣା ଅବଧି ବଢାଇବାକୁ ନିଷ୍ପତ୍ତି ନିଆଯିବ । ଲୋକଙ୍କ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନାରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେପଟେ ଏବେ ସେହି ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି ଯେଉଁମାନଙ୍କ ସଂସ୍ପର୍ଶରେ ସଂପୃକ୍ତ ରୋଗୀ ଆସିଥିଲେ । ଏହି ରୋଗୀ ପ୍ରାୟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି ।

ସେହିପରି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ବିଦେଶରୁ ଓଡିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ବିଦେଶରୁ ଓଡିଶାରେ ପହଞ୍ଚିବାର ୨୪ଘଣ୍ଟା ମଧ୍ୟରେ ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡିବ । ସେହିପରି କରୋନା ଆଶଙ୍କାରେ କ୍ୱାରେଣ୍ଟାଇନରେ ରଖିବା ପାଇଁ ଭୁବନେଶ୍ବରର ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.