ସାଲାଡ୍‌ ପାଇଁ ମହାଭାରତ: ଗ୍ରାହକଙ୍କୁ ପିଟି ପିଟି ଦରମରା କରିଦେଲେ ହୋଟେଲ ମାଲିକ ଏବଂ କର୍ମଚାରୀ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧: ହୋଟେଲରେ ବାସୀ ଖାଦ୍ୟ ମିଳିଲେ ଗ୍ରାହକ ପାଟିତୁଣ୍ଡ କରୁଥିବା ଦେଖିଥିବେ। କିନ୍ତୁ ଗ୍ରାହକ ବାସି ଖାଦ୍ୟ ବୋଲି ଅଭିଯୋଗ କରିବା ପରେ ହୋଟେଲ କର୍ମଚାରୀ ଓ ମାଲିକ ମିଶି ତାଙ୍କ ମୁଣ୍ଡ ଫଟାଇବା ଘଟଣା ହୁଏତ ପ୍ରଥମ। ମହେନ୍ଦ୍ର ସିଂହ ନାମକ ବ୍ୟକ୍ତି ଶ୍ରୀ ଖାଙ୍ଗରଜୀ ହୋଟେଲକୁ ବିଳମ୍ବିତ ରାତିରେ ଖାଇବା ପାଇଁ ପହଞ୍ଚିଥିଲେ। ଏହି ହୋଟେଲଟି ରାଜସ୍ଥାନର ଯୋଧପୁରରେ । ତେବେ ମହେନ୍ଦ୍ର ଖାଦ୍ୟ ଅର୍ଡର କରିବା ପ​‌ରେ କିଛି ସମୟ ଭିତରେ ତାଙ୍କ ପାଖରେ ଖାଦ୍ୟ ପହଞ୍ଚିଥିଲା।

କିନ୍ତୁ ସାଲାଡରୁ ଖରାପ ଗନ୍ଧ ଆସିଥିଲା। ଯାହାକୁ ନେଇ ମହେନ୍ଦ୍ର ହୋଟେଲର କର୍ମଚାରୀଙ୍କୁ ଜଣାଇଥିଲେ। ସାଲାଡ ବାସି ହୋଇଯାଇଥିବା ନେଇ ମହେନ୍ଦ୍ର କହବା ସହ ହୋଟେଲ କର୍ମଚାରୀଙ୍କୁ ଗାଳି କରିଥିଲେ। ସାମନ୍ୟ ବଚସାରୁ ପରିସ୍ଥିତି ଧିରେଧିରେ ଅଣାୟତ୍ତ ଆଡ଼କୁ ଯାଇଥିଲା। ଘଟଣାସ୍ଥଳରେ ହୋଟେଲ ମାଲିକ ମଧ୍ୟ ପହଞ୍ଚିଥିଲେ। ଏହାରି ଭିତରେ ଜଣେ ଓ୍ବେଟର ଉତକ୍ଷିପ୍ତ ହୋଇ ମହେନ୍ଦ୍ରଙ୍କ ମୁଣ୍ଡକୁ ଏକ ବାଡ଼ିରେ ପ୍ରହାର କରିଚାଲିଥିଲେ।

ପରେ ପରେ ସମସ୍ତ କର୍ମଚାରୀ ମହେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମହେନ୍ଦ୍ରଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଛି। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏନେଇ ମହେନ୍ଦ୍ର ସିଂହ ମହାମନ୍ଦିର ଥାନାରେ ଏତଲା ଦେଇଛନ୍ତି। ହୋଟେଲ ମାଲିକ ଏବଂ କର୍ମଚାରୀ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପୋଲିସ ମାମଲାରେ ତଦନ୍ତ ଆରମ୍ଭ କରିଛି ।ଏହା ସହ ପୀଡ଼ିତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ହୋଟେଲ ମାଲିକ ଓ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତ ଅଧିକାରୀ ଖେତରାମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.