Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୬୫ ଟଙ୍କାର ଆଇସ୍‌କ୍ରିମ ୧୭୫ରେ ବିକି ରେସ୍ତୋରାଁ ମାଲିକ ଗଣିଲେ ୨ ଲକ୍ଷ ଫାଇନ୍

28/08/2020 at 12:47 PM

ମୁମ୍ବାଇ ୨୮/୮: ୫ ବର୍ଷ ପୂର୍ବେ ଜଣେ ଗ୍ରାହକଙ୍କଠାରୁ ଅଧିକ ୧୦ ଟଙ୍କା ନେଇଥିବା ମୁମ୍ବାଇର ଏକ ରେସ୍ତୋରାଁକୁ ଏବେ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିଛି। ୨ ଲକ୍ଷ ଟଙ୍କା ଫାଇନ୍‌! ଘଟଣାଟି ୨୦୧୪ରେ ଘଟିଥିଲା। ସେଦିନ ଡ୍ୟୁଟିରୁ ଫେରୁଥିବାବେଳେ ପୁଲିସ ସବ୍‌-ଇନ୍‌ସପେକ୍ଟର ଭାସ୍କର ଯାଦବଙ୍କୁ ତାଙ୍କ ଝିଅ ଫୋନ୍‌ କରି ଆଇସ୍‌କ୍ରିମ ଖାଇବାକୁ ଚାହୁଁଥିବା କଥା କହିଲା । ଯାଦବ ଆଇସ୍‌କ୍ରିମ କିଣିବା ପାଇଁ ମୁମ୍ବାଇ ସେଣ୍ଟ୍ରାଲ ସ୍ଥିତ ଶଗୁନ ଭେଜ୍‌ ରେସ୍ତୋରାଁରେ ପ୍ରବେଶ କଲେ। ସେଠାରେ ୧୬୫ ଟଙ୍କା ମୂଲ୍ୟର ଗୋଟିଏରେ ଗୋଟିଏ ମାଗଣା ଲେଖାଥିବା ଆଇସ୍‌କ୍ରିମ ପ୍ୟାକେଟ୍‌ କିଣିଲେ। ତେବେ ୭୦୦ ଏମ୍‌ଏଲ୍‌ର ସେହି ଆଇସ୍‌କ୍ରିମ ପ୍ୟାକେଟ୍‌ ପାଇଁ ତାଙ୍କୁ ୧୭୫ ଟଙ୍କା ଦେବାକୁ ପଡ଼ିଲା । ଆଇସ୍‌କ୍ରିମ ଥଣ୍ଡା କରିବା ପାଇଁ ଅଧିକ ୧୦ ଟଙ୍କା ନିଆଯାଉଛି ବୋଲି ବିକ୍ରେତା ଜଣକ ଯାଦବଙ୍କୁ କହିଲେ ଏବଂ ଟଙ୍କା ଫେରସ୍ତ କରିବାକୁ ମନା କରିଦେଲେ।

ଆଇସ୍‌କ୍ରିମ ଫେରସ୍ତ ନେବାକୁ ମଧ୍ୟ ମନା କରିଦେଲେ। ଗ୍ରାହକ ଅଧିକାର ସମ୍ପର୍କରେ ସଚେତନ ଯାଦବ ଜଣେ ସମାଜକର୍ମୀଙ୍କ ସାହାଯ୍ୟ ନେଇ ଏ ବିଷୟରେ ଦକ୍ଷିଣ ମୁମ୍ବାଇ ସ୍ଥିତ ଡିଷ୍ଟ୍ରିକ୍ଟ କମିସନର ଡିସ୍‌ପୁଟ୍‌ ରିଡରସାଲ ଫୋରମ୍‌ରେ ଅଭିଯୋଗ କଲେ। ଘଟଣାର ୫ ବର୍ଷ ପରେ, ଏହି ଫୋରମ୍‌ ୪୫ ଦିନ ମଧ୍ୟରେ ଯାଦବଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ରେସ୍ତୋରାଁକୁ ନିର୍ଦ୍ଦେଶ ଦେଇଛି । ନିର୍ଦ୍ଦେଶରେ ଫୋରମ୍‌ ଅଧିକ ମୂଲ୍ୟ ଚାର୍ଜ କରିବା ବିରୁଦ୍ଧରେ ରେସ୍ତୋରାଁକୁ ଚେତାଇ ଦେଇଛି।

୫ ବର୍ଷ ପୂର୍ବେ ଆଇସ୍‌କ୍ରିମ୍‌ ବାବଦରେ ଯାଦବଙ୍କଠାରୁ ନେଇଥିବା ଅତିରିକ୍ତ ୧୦ ଟଙ୍କା ମଧ୍ୟ ଫେରାଇବାକୁ ନିର୍ଦ୍ଦେଶ ଦେଇଛି। ଯାଦବ ଏବେ ୱାଡାଲା ଟି ଟି ପୁଲିସ ଷ୍ଟେସନ୍‌ରେ ଆସିଷ୍ଟାଣ୍ଟ ପୁଲିସ ଇନ୍‌ସପେକ୍ଟର ଭାବେ କାର୍ଯ୍ୟରତ। ନିଜ ଅଧିକାର ପାଇଁ ଲଢ଼େଇ କରିବା ଏବଂ ଏ ବିଷୟରେ ଲୋକଙ୍କୁ ସଚେତନ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଯାଦବ କହିଛନ୍ତି। ଏକ ଛୋଟ ଭୁଲ ଆଚରଣ ପାଇଁ ମାତ୍ର ୧୦ ଟଙ୍କା ବଦଳରେ ୨ ଲକ୍ଷ ଟଙ୍କାର ତଣ୍ଡ ରେସ୍ତୋରାଁକୁ ଦେବାକୁ ପଡ଼ିଛି ଜାଣି ଯାଦବ ବହୁତ ଖୁସି । ଏଣିକି ଏହି ଭୋଜନାଳୟ ଗ୍ରାହକଙ୍କଠାରୁ ଅତିରିକ୍ତ ମୂଲ୍ୟ ନେବା ବନ୍ଦ କରିବ ବୋଲି ସେ ଆଶାବାଦୀ।

   Related Posts