କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଲେ ଗଜପତି ମହାରାଜା : କହିଲେ, ‘ଶ୍ରୀମନ୍ଦିର ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ’

Published By : Prameya-News7 Bureau | March 06, 2021 IST

ଭୁବନେଶ୍ବର ୦୬/୦୩ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀଙ୍କ ଚିଠିର ଉତ୍ତର ରଖିଛନ୍ତି ପୁରୀ ଗଜପତି ମହାରାଜା । ଚିଠିରେ ଗଜପତି ମହାରାଜା ଲେଖିଛନ୍ତି, ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଐଶ୍ୱରୀୟ ପ୍ରେରଣାର ଉତ୍ସ ଯିଏକି ସମଗ୍ର ବିଶ୍ୱରେ ଅଗଣିତ ଭକ୍ତଙ୍କ ଜୀବନକୁ ପ୍ରଭାବିତ କରିଥାନ୍ତି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ-ଧମା ପୁରୀକୁ ବିଶ୍ବର ଏକ ପ୍ରମୁଖ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି ।’

ଏହା ସହିତ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରି ଗଜପତି ମହାରାଜା କହିଛନ୍ତି, ‘ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ତଥା ବ୍ୟକ୍ତିଗତ ଭାବେ କହିବାକୁ ଚାହୁଁଛି ଯେ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରର ବିକାଶ ପାଇଁ ସାମୂହିକ ଭାବେ ଆନ୍ତରିକତାର ସହ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଏବଂ ବିଶ୍ବର କୋଟି କୋଟି ଭକ୍ତଙ୍କ ସମର୍ଥନ ଆବଶ୍ୟକ । ’

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା କରିବା ପାଇଁ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ ଧର୍ମେନ୍ଦ୍ର ।  ଏଭଳି ବ୍ୟବସ୍ଥା ହେଲେ ସମଗ୍ର ବିଶ୍ବର ହିନ୍ଦୁ ବିଶେଷ କରି ସାଢ଼େ ୪ କୋଟି ଓଡ଼ିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରନ୍ତେ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।

ସାରା ଦେଶରେ ଜାରି ରହିଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ଜନତା ରାମମନ୍ଦିର ପାଇଁ ଅର୍ଥଦାନ କରୁଛନ୍ତି।  ଶ୍ରୀଜଗନ୍ନାଥଙ୍କ ପାଇଁ ମଧ୍ୟ ଅନୁରୂପ ଅଭିଯାନ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଥଇଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.