କରୋନା ସଙ୍କଟ କାଳରେ ଭରିଲା ଦେଶର ଖଜାନା, ୫୩୪.୫୭ ଅରବ ଡଲାର ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: କରୋନା ସଙ୍କଟ ମଧ୍ୟରେ ଆର୍ଥିକ ମୋର୍ଚ୍ଚାରେ କ୍ରମାଗତ ନୈରାଶ୍ୟଜନକ ଖବର ଆସିବାରେ ଲାଗିଛି। ଏହା ମଧ୍ୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଦେଶକୁ କିଛିଟା ଆଶ୍ଵସ୍ତିକର ଖବର ଦେଇ ଚାଲିଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) କହିଛନ୍ତି, ଜୁଲାଇ ୩୧ରେ ସମାପ୍ତ ହୋଇଥିବା ସପ୍ତାହ ସମୟରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୧.୯୪ ଅରବ ଡଲାରର ବୃଦ୍ଧି ଘଟିଛି. ଏହା ସହିତ ଫରେକ୍ସ ରିଜର୍ଭ ୫୩୪.୫୭ ଅରବ ଡଲାର ରେକର୍ଡ ସ୍ତରରେ ପହଞ୍ଚିଛି।

ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଏ ପର୍ଯ୍ୟନ୍ତ ନିଜର ଶୀର୍ଷ ସ୍ତରରେ ପହଞ୍ଚିଛି ଅର୍ଥାତ ଏହା ପୂର୍ବରୁ ଭାରତ ପାଖରେ କେବେ ମଧ୍ୟ ଏତେ ପରିମାଣରେ ବିଦେଶୀ ମୁଦ୍ରା ନଥିଲା। ମୌଦ୍ରିକ ନୀତିର ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର କହିଥିଲେ ୫୩୪.୬ ଅରବ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ୧୩.୪ ମାସର ଆମଦାନୀ ଖର୍ଚ୍ଚ ସହ ସମାନ। ସେ କହିଛନ୍ତି ଆର୍ଥିକ ବର୍ଷ ୨୦୨୦-୨୧ରେ ଜୁଲାଇ ୩୧ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାରରେ ୫୬.୮ ଅରବ ଡଲାରର ବୃଦ୍ଧି ଘଟିଛି।

ଆରବିଆଇ ଅନୁଯାୟୀ ଏହା ପୂର୍ବେ ଜୁଲାଇ ୨୪ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୪.୯୯୩ ଅରବ ଡଲାର ବଢି ୫୨୨.୬୩୦ ଅରବ ଡଲାରରେ ପହଞ୍ଚି ସାରିଥିଲା। ଅନ୍ୟପଟେ ଜୁନ ୫ରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫୦୦ ଅରବ ଡଲାରର ରେକର୍ଡ ସ୍ତର ଅତିକ୍ରମ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.