ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବଢୁଛି ଅସନ୍ତୋଷ, ଉତ୍ତେଜନା, କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କାଲି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର୧୧|୫: ଫୋନିକୁ ଆଠ ଦିନି ବିତିଲାଣି । ସ୍ଥିତିରେ ସୁଧାର ଆସିନି ଏକଥା କହିହେବନି । କିନ୍ତୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଲାଗି ରହିଛି ଅସନ୍ତୋଷ, ଉତ୍ତେଜନା । ଅନେକ ସ୍ଥାନରେ ବିପନ୍ନଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ । ରିଲିଫ ପାଇଁ ବିପନ୍ନ ଡହଳ ବିକଳ ହେଉଥିବା ବେଳେ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କଲେଣି ବିରୋଧୀ । ଦଳୀୟ ଭିତ୍ତିରେ ରିଲିଫ ବାଣ୍ଟାଯାଉଥିବା ଅଭିଯୋଗ କରିଛି ବିଜେପି । ସେପଟେ ଫୋନି ମୃତ୍ୟୁ ସଂଖ୍ୟ ବଢି ୪୩ ରେ ପହଞ୍ଚିଛି ।

ବାତ୍ୟା ଫୋନିକୁ ୮ ଦିନ ବିତିଲାଣି । ରାଜ୍ୟ ସରକାରଙ୍କୁ ନୟାନ୍ତ କଲାଣି ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା । ଅନେକ ସ୍ଥାନରେ ରିଲିଫ, ପାଣି, ବିଜୁଳିକୁ ନେଇ ଲୋକେ କ୍ଷୁବ୍ଧ । କିଛି ସ୍ଥାନରେ ଉତ୍ତେଜନା, ରାସ୍ତାରୋକ, ଅଧିକାରୀଙ୍କୁ ଅଟକ ଭଳି ଘଟଣା ଘଟୁଛି । ଏମିତି ସ୍ଥିତିରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କଲେଣି ବିରୋଧୀ ଦଳ । କାଁ ଭାଁ କେଉଁଠି ରିଲିଫ ପହଞ୍ଚିଥିବାବେଳେ ବହୁ ସ୍ଥାନରେ ଏବେ ବି ପ୍ରଶାସନର ପାଦ ପଡିନଥିବା ଅଭିଯୋଗ କରିଛି ବିଜେପି । ସୁଖିଲା କି ରନ୍ଧା ଖାଦ୍ୟ ମିଳୁନି । ଏମିତି ଅଭିଯୋଗ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଫେରାଦ ହୋଇଛି ବିଜେପିର ଏକ ଟିମ୍ । ପୁରୀ ଓ ବିଞ୍ଝାପୁର ବିଧାନ ସଭା କ୍ଷେତ୍ରରେ ଦଳୀୟ ଭିତ୍ତିରେ ରିଲିଫ ବଣ୍ଟାଯାଉଥିବା ଦଳ ଅଭିଯୋଗ କରିଛି ।

ବିପନ୍ନ ପରିବାରକୁ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ଦେବାକୁ ସରକାର ଯେଉଁ ଘୋଷଣା କରିଛନ୍ତି ତାହା କେବଳ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଛି । କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ଏହି ସୁବିଧା ଦେବାକୁ ସରକାର ନିର୍ଦେଶ ଦେଇଥିଲେ ବି ତାହା ଅନେକ ସ୍ଥାନରେ କାର୍ଯ୍ୟକାରୀ ହୋଇନି । ରିଲିଫ ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ଆଇଏଏସ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଥିଲେ ବି ରିଲିଫ ବିତରଣ ଠିକ ଭାବେ ହୋଇପାରୁନି । ସେପଟେ ଚାଷ, ବାସ ସବୁ କ୍ଷୟକ୍ଷତି ପାଇଁ କେବେ ମିଳିବ ସହାୟତା ତାକୁ ମଧ୍ୟ ଲୋକେ ଚାହିଁ ବସିଛନ୍ତି ।

ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ କାଲି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୦ଜଣିଆ ଆନ୍ତମନ୍ତ୍ରଣାଳୟ ପ୍ରତିନିଧି ଦଳ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ।

ଭୁବନେଶ୍ବରରୁ କ୍ୟାମେରା ପର୍ସନ ଗୁଣ୍ଡିଚାଙ୍କ ସହ ଯୋଗମାୟା ମିଶ୍ର ଏବଂ ସୁକାନ୍ତ ରାଉତରାୟ, ନ୍ୟୁଜ ସେଭେନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.