ଟିକେଟ୍ ବଣ୍ଟାକୁ ନେଇ କଂଗ୍ରେସରେ ବଢୁଛି ଅସନ୍ତୋଷ, କଂଗ୍ରେସ ଭବନଠୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ସବୁଠି ଅସନ୍ତୁଷ୍ଟଙ୍କ ହଙ୍ଗାମା
24/03/2019 at 1:58 PM

ଭୁବନେଶ୍ବର ୨୪|୩ : ଟିକେଟ୍ ବଣ୍ଟାକୁ ନେଇ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗତକାଲି ପ୍ରଦେଶ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ଲଙ୍କାକାଣ୍ଡ । କଂଗ୍ରେସ ଭବନରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ଟିକେଟ୍ ପାଇନଥିବା ନେତାଙ୍କ ସମର୍ଥକ ।
ଭୁବନେଶ୍ବର ଏକାମ୍ରରୁ ରଶ୍ମୀ ମହାପାତ୍ରଙ୍କୁ ଟିକେଟ୍ ଦିଆଯାଇଥିବାରୁ ଏହାକୁ ବିରୋଧ କରି ଏହି ଭଙ୍ଗାରୁଜା ହୋଇଥିବା କୁହାଯାଉଛି । ଏଥିରେ କାର୍ଯ୍ୟାଳୟର ୨ଟି କମ୍ପ୍ୟୁଟର୍, ଚେୟାର, ଟେବୁଲ ଭଙ୍ଗାରୁଜା ହୋଇଥିବା ବେଳେ, କାଗଜପତ୍ର ମଧ୍ୟ ଫିଙ୍ଗାଫୋପଡ଼ା କରାଯାଇଛି ।
ପ୍ରାର୍ଥୀ ତାଲିକା ଘୋଷଣା ପରେ ସୁନ୍ଦରଗଡରେ ଅସନ୍ତୋଷ ମୁଣ୍ଡ ଟେକୁଛି । ପ୍ରାର୍ଥୀ ପରିବର୍ତ୍ତନ ନ ହେଲେ ଦଳ ବିରୋଧରେ କାମ କରିବାକୁ ଧମକ ମଧ୍ୟ ଦିଆଯାଇଛି। ରାଉରକେଲାରେ ମୁକ୍ତିକାନ୍ତଙ୍କୁ କଂଗ୍ରେସ ଟିକେଟ୍ ଦିଆଯିବାକୁ ଦଳର ଅଧିକାଂଶ ନେତା ଓ କର୍ମୀ ଖୋଲା ବିରୋଧ କରିଥିଲେ। ଏହାପରେ ମୁକ୍ତିକାନ୍ତ ନିଜଆଡୁ ଓହରି ଯାଇଛନ୍ତି ।
ରଘୁନାଥପାଲୀରେ ବିଜେଡିରୁ ଆସି ଟିକେଟ୍ ପାଇଥିବା ପ୍ରଶାନ୍ତ ସେଠୀଙ୍କୁ ମଧ୍ୟ କଂଗ୍ରେସର ବହୁ ଆଶାୟୀ ବିରୋଧ କରି ହାଇକମାଣ୍ଡଙ୍କୁ ପତ୍ର ଲେଖିଛନ୍ତି। ସୁନ୍ଦରଗଡ଼ରେ ହେମାନନ୍ଦ ବିଶ୍ବାଳଙ୍କ ସାନ ଝିଅ ଅମିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯିବାକୁ ମଧ୍ୟ ବିରୋଧ କରାଯାଇଛି।
ରାଜଗାଙ୍ଗପୁରରେ ଡ. ରାଜନ ଏକ୍କାଙ୍କୁ ପ୍ରାର୍ଥୀ କରାଯିବା ପରେ ପୂର୍ବତନ ବିଧାୟକ ଗ୍ରୀଗୋରି ମିଞ୍ଜ ମଧ୍ୟ କ୍ଷୁବ୍ଧ। ବୀରମିତ୍ରପୁରରେ ଜର୍ଜ ତିର୍କୀଙ୍କ ପୁଅଙ୍କୁ ଟିକେଟ୍ ଦିଆଯିବାକୁ ବହୁ ପୁରୁଖା କଂଗ୍ରେସ ନେତା ଓ ଆଶାୟୀ ବିରୋଧ କରୁଛନ୍ତି।