Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡ଼ ଖବର! ଶ୍ରବଣ ଶକ୍ତି ହ୍ରାସରେ ବ୍ୟବହୃତ ହେଉଥିବା ଔଷଧରେ ହେବ Covid ଚିକିତ୍ସା, ମେଡିସିନ୍ ଖୋଜି କାଢିଲେ ବୈଜ୍ଞାନିକ

15/08/2020 at 5:27 PM

ୱାସିଂଟନ୍: କରୋନା ଭାଇରସ ମହାମାରୀ ସାରା ବିଶ୍ୱଲାଗି ଏବେ ଚିନ୍ତାର କାରଣ ପାଲଟିଛି। ଏଥିରେ ବୈଜ୍ଞାନିକଙ୍କ ଏକ ଅନୁସନ୍ଧାନ ଏବେ ଡାକ୍ତର ଓ ଲୋକଙ୍କୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ଆଧୁନିକ କମ୍ପ୍ୟୁଟର ସିମୁଲେସନ ମାଧ୍ୟମରେ ପୂର୍ବରୁ  ବ୍ୟବହୃତ ହେଉଥିବା ଏକ ଔଷଧ ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ ବୋଲି ଜାଣିବାକୁ ପାଇଛନ୍ତି।

ଏବେ ଡାକ୍ତରମାନେଏହି ଔଷଧକୁ ବାଇପୋଲର ଡିଜଅର୍ଡର( ଏକପ୍ରକାର ମାନସିକ ରୋଗ) ଲାଗି ପ୍ରେସକ୍ସିପସନ୍ କରୁଛନ୍ତି, ଯାହା କମ୍ ଶୁଣିପାରୁଥିବା ରୋଗୀଙ୍କୁ ଦିଆଯାଉଛି । ଏହି ଔଷଧ ମଣିଷ ଶରୀରରେ କରୋନା ଭାଇରସକୁ ପ୍ରତିକୃତି (ରିପ୍ଲେକ୍ସନ) ନିର୍ମାଣରୁ ରୋକିପାରୁଥିବା ବୈଜ୍ଞାନିକ ଦାବି କରିଛନ୍ତି।  ଭୂତାଣୁ ମାନବ ଶରୀରରେ ପ୍ରବେଶ କରିବା ପରେ ନିଜର ସଂଖ୍ୟା ବୃଦ୍ଧି କରିବାରେ ଲାଗିଯାଏ। ଫଳରେ ଶ୍ୱାସନ ଓ ଅନ୍ୟ ତନ୍ତ୍ରକୁ ପ୍ରଭାବିତ କରି ଆକ୍ରାନ୍ତକୁ ମୃତ୍ୟୁ ମୁଖରେ ପକାଉଛି।

ଏ ନେଇ ବୈଜ୍ଞାନିକଙ୍କ ସନ୍ଦର୍ଭ ‘ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସେସ୍‌’ରେ ପ୍ରକାଶିତ ହୋଇଛି। ଏଥିରେ ନୋଭେଲ କରୋନା ଭାଇରସର ମୁଖ୍ୟ ପ୍ରୋଟିଜ୍ (ଏମପିଆରଓ) ହିଁ ସେହି ଏଞ୍ଜାଇମ ଯାହା ଭୂତାଣୁର ଜୀବନ ଚକ୍ରରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା କୁହାଯାଇଛି। ଆମେରିକାର ୟୁନିଭର୍ସିଟି ଅଫ ଚିକାଗୋ ସମେତ ଅନ୍ୟ ଗବେଷକଙ୍କ ମୁତାବକ ଏମପିଆରଓ ଭୂତାଣୁକୁ ଜେନେଟିକ ମେଟେରିଆଲ (ଆରଏନଏ)ରେ ପ୍ରୋଟିନ ନିର୍ମାଣ ଲାଗି କ୍ଷମତା ପ୍ରଦାନ କରୁଛି। କେବଳ ଏଥିଯୋଗୁ ଭୂତାଣୁ ସଂକ୍ରମିତ ଲୋକଙ୍କ କୋଷିକାରେ ନିଜର ସଂଖ୍ୟା ବୃଦ୍ଧି କରି ପାରୁଥିବା ଗବେଷକ କହିଛନ୍ତି।

ଗବେଷକମାନେ ବାୟୋଲଜିକାଲ ମଲ୍ୟୁକୁଲସରେ ନିଜର ବିଶେଷଜ୍ଞତାକୁ ଉପଯୋଗ କରି କରୋନା ବିରୋଧରେ ସମ୍ଭାବିତ କମ୍ପାଉଣ୍ଡସ୍‌ର ଦ୍ରୁତ ଯାଞ୍ଚ କରିଥିଲେ।  ଏହି ଯାଞ୍ଚରୁ ବୈଜ୍ଞାନିକମାନେ ଏମପିଆରଓ ଲାଗି ଯେଉଁ ଔଷଧକୁ ନେଇ  ଆଶାପୋଷଣ କରୁଛନ୍ତି ତାହା ଆଉ କିଛି ନୁହେଁ କମ ଶୁଣିପାରୁଥିବା ଲୋକଙ୍କୁ ଡାକ୍ତର ଲେଖୁଥିବା ଔଷଧ Ebselen ବୋଲି କହିଛନ୍ତି। ଏହି ଔଷଧର କେମିକାଲ କମ୍ପାଉଣ୍ଡରେ ଆଣ୍ଟି ଭାଇରଲ, ଆଣ୍ଟି ଇମ୍ଫ୍ଲାମେଟ୍ରି, ଆଣ୍ଟି ଅକ୍ସିଡେଟିଭ, ବେକ୍ଟ୍ରିସିଡଲ ଓ ସେଲ ପ୍ରୋଟେକ୍ଟିଭ ପ୍ରପର୍ଟିଜ୍‌ ରହିଛି।

ଗବେଷକଙ୍କ ଅନୁସାରେ Ebselenର ଉପଯୋଗ ସାଧାରଣତଃ ଡାକ୍ତରମାନେ ବାଇପୋଲର ଡିଜର୍ଡର ଓ ଶ୍ରବଣ ଶକ୍ତି ହ୍ରାସ ସମେତ ଅନ୍ୟ ବେମାରୀ ଲାଗି ମଧ୍ୟ ବ୍ୟବହାର କରୁଛନ୍ତି। ଅନେକ କ୍ଲିନିକାଲ ଟ୍ରାଏଲରେ ମଧ୍ୟ ଏହି ଔଷଧ ମଣିଷର ଉପଯୋଗ ଲାଗି ସୁରକ୍ଷିତ ବୋଲି ମଧ୍ୟ ବହୁ ପୂର୍ବରୁ ପ୍ରମାଣିତ ହୋଇଥିବା ଗବେଷକମାନେ କହିଛନ୍ତି।

   Related Posts