ବଦଳିଲା ସରକାରୀ ଅଫିସ ସମୟ, ଏଣିକି କର୍ମଚାରୀଙ୍କୁ ମାସର ଚତୁର୍ଥ ଶନିବାର ବି ମିଳିବ ଛୁଟି
22/06/2019 at 6:53 PM

ଭୁବନେଶ୍ୱର ୨୨।୬: ରାଜ୍ୟରେ ବଦଳିଲା ସରକାରୀ ଅଫିସ ସମୟ। ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକଭିମୁଖୀ କରିବା ଲାଗି ନବୀନ ସରକାର ନୂଆ ଅଫିସମୟ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏଣିକି ସରକାରୀ ଅଫିସର କାର୍ଯ୍ୟଘଣ୍ଟା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନରେ କର୍ମଚାରୀଙ୍କୁ ଅଧଘଣ୍ଟା ମଧ୍ୟାହ୍ନ ବୀରତି ମିଳିବ। ସେହିପରି ପ୍ରତିମାସର ଚତୁର୍ଥ ଶନିବାରକୁ କର୍ମଚାରୀଙ୍କ ନିମନ୍ତେ ସରକାର ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ସମ୍ପର୍କିତ ପ୍ରସଙ୍ଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା କୁହାଯାଇଛି। କର୍ମଚାରୀଙ୍କୁ କାର୍ଯ୍ୟଘଣ୍ଟା ମଧ୍ୟରେ ସାଢେ ଗୋଟେରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବୀରତି ପ୍ରଦାନ କରାଯାଇଥିବା ବେଳେ ସଂସୋଧିତ କାର୍ଯ୍ୟଘଣ୍ଟା କେବଳ ଅବକାସ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗ ନିମନ୍ତେ ଲାଗୁ ବୋଲି କୁହାଯାଇଛି। ବିଜ୍ଞପ୍ତି ଜାରି ହେବା ସହ କର୍ମଚାରୀଙ୍କ ନିମନ୍ତେ ସରକାରୀ କାର୍ଯ୍ୟାଳୟରେ ନୂତନ କାର୍ଯ୍ୟଘଣ୍ଟା ଲାଗୁ ହୋଇଛି।