କରୋନା ପ୍ରଭାବ: ଏଥର ଗଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ କୌଣସି ବିଦେଶୀ ଅତିଥି !

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୦୧: କରୋନା କାରଣରୁ ସାରା ଦୁନିଆରେ ହାହାକାର ପରିସ୍ଥିତି। ଏହା ମଧ୍ୟରେ ଭାରତ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ହେଲେ ଚଳିତ ଥର ବିନା ବିଦେଶୀ ଅତିଥିରେ ଜନରାଜ୍ୟ ଦିବସ ପାଳନ କରାଯିବ ବୋଲି ଭାରତ ସ୍ପଷ୍ଟ କରିଛି। ସୂତ୍ର ଅନୁଯାୟୀ କରୋନା କାରଣରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଶେଷ ସମୟରେ ସମାରୋହରେ ସାମିଲ ନହୋଇ ପାରିବା ନିଷ୍ପତ୍ତି ପରେ ଭାରତ ଏବେ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରିବ ନାହିଁ ବୋଲି ବିଚାର କରିଛି।

ଗତ ପାଞ୍ଚ ଦଶନ୍ଧିରେ ପ୍ରଥମ ଥର ଗଣତନ୍ତ୍ର ଦିବସ ସମାରୋହରେ ବିଦେଶୀ ଅତିଥି ରହିବେ ନାହିଁ। ଏହା ପୂର୍ବରୁ ୧୯୬୬ରେ ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ସାମିଲ ହୋଇ ପାରିନଥିଲେ। ସେତେବେଳେ ଜାନୁଆରୀ ୧୧ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଅଚାନକ ମୃତ୍ୟୁ ପରେ ଜାନୁଆରୀ ୨୪ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ବ୍ୟତୀତ ୧୯୫୨ ଓ ୧୯୫୩ରେ ଭାରତୀୟ ଗଣତନ୍ତ୍ର ଦିବସ ସମାରୋହରେ ମଧ୍ୟ କୌଣସି ବିଦେଶୀ ପ୍ରତିନିଧି ସାମିଲ ହୋଇନଥିଲେ। ଏଥର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଡ୍‌ର ସଲାମି ନେବେ।

ଜଣେ ଅଧିକାରୀଙ୍କ ଅନୁଯାୟୀ ଏହି ନିଷ୍ପତ୍ତି ଅନେକ କାରଣ ପାଇଁ ନିଆଯାଇଛି। ସେ କହିଛନ୍ତି ଯେ, ଆମେ କୌଣସି ବିଦେଶୀ ଅତିଥିଙ୍କୁ ଅସହଜ ସ୍ଥିତିରେ ପକାଇବାକୁ ଚାହୁଁନାହୁଁ। ୟୁକେରେ ନୂତନ ଷ୍ଟ୍ରେନ୍ କାରଣରୁ ବଢୁଥିବା କରୋନା ମାମଲାକୁ ଦେଖି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଆସିବାକୁ ଅସମର୍ଥତା ପ୍ରକାଶ କରିଥିଲେ। ଏବେ ଯଦି କୌଣସି ନେତା ଭାରତର ନିମନ୍ତ୍ରଣ ସ୍ଵୀକାର କରନ୍ତି ତେବେ ଉକ୍ତ ଦେଶକୁ ଏହି ବାର୍ତ୍ତା ଯିବ ଯେ ବୋରିସ ଜନସନଙ୍କ ସ୍ଥାନ ଭରିବା ପାଇଁ ଭାରତ ଆମକୁ ନିମନ୍ତ୍ରଣ କରୁଛି।

ଏଥର କଣ ହୋଇପାରେ ପରିବର୍ତ୍ତନ

କରୋନା କାରଣରୁ ସାମାଜିକ ଦୂରତା ନିୟମକୁ ଧ୍ୟାନରେ ରଖି ଏଥର ଗଣତନ୍ତ୍ର ଦିବସ ପରେଡ୍ ମଧ୍ୟ ଛୋଟ ରହିବ। ଚଳିତ ବର୍ଷ ଜନରାଜ୍ୟ ଦିବସରେ ୨୫ ହଜାରରୁ ଅଧିକ ଲୋକ ସାମିଲ ହେବେ ନାହିଁ। ସାଧାରଣତଃ ଏହି ସଂଖ୍ୟା ଏକ ଲକ୍ଷ ହୋଇଥାଏ। କେବଳ ଏତିକି ନୁହେଁ ୧୫ ବର୍ଷରୁ କମ୍ ପିଲାଙ୍କୁ ପରେଡ୍‌ ଦେଖିବାକୁ ଅନୁମତି ମିଳିବ ନାହିଁ। ସଶସ୍ତ୍ର ବଳ ଏବଂ ପାରା ମିଲିଟାରୀ ପକ୍ଷରୁ ପରେଡ୍‌ରେ ସାମିଲ ଗ୍ରୁପ୍ ମଧ୍ୟ ଛୋଟ ରହିବ। ଏଥିରେ କେବଳ ୯୬ ଜଣ ରହିବେ, ଯାହା ପୂର୍ବେ ୧୪୪ ଜଣ ସାମିଲ ହେଉଥିଲେ। ଏଥର ପରେଡ୍‌ର ରୁଟ୍ ମଧ୍ୟ ଛୋଟ କରାଯାଇଛି। ବିଜୟ ଚୌକରୁ ଆରମ୍ଭ ହୋଇ ନ୍ୟାସନାଲ ଷ୍ଟାଡିୟମରେ ହିଁ ଶେଷ ହେବ। ପୂର୍ବେ ଏହି ପରେଡ୍‌ ଲାଲ କିଲ୍ଲାରେ ସମାପ୍ତ ହେଉଥିଲା। ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବହୁତ କମ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.