ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ମୁତୟନ ହେବେ ସ୍ବାଟ୍ ଟିମ୍ ଏବଂ ଅର୍ଦ୍ଧସାମରିକ ବାହିନୀ

Published By : Prameya-News7 Bureau | January 25, 2020 IST

ନୂଆଦିଲ୍ଲୀ ୨୫।୧: ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଦିଲ୍ଲୀରେ ହଜାର ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ଏବଂ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ପ୍ରଥମ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଦିଲ୍ଲୀ ପୋଲିସ ହାତରେ ଅଛି ଏବଂ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରିବା ସେମାନଙ୍କ କାମ । ସ୍ବାଟ୍ ଟିମ୍ ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ ହେବେ । ସାଧାରଣତନ୍ତ୍ର ଦିବସରେ ସମୁଦାୟ ୪୮ କମ୍ପାନୀ ଅର୍ଦ୍ଧସାମରିକ ବଳ, ୧୭,୦୦୦ ଦିଲ୍ଲୀ ପୋଲିସ ସଦସ୍ୟ ମୁତୟନ ହେବେ । ୨୭୦୦ ଦିଲ୍ଲୀ ପୋଲିସ ସାଦା ପୋଷାକରେ ସ୍ଥିତି ଯାଞ୍ଚ କରିବେ ।

ପରେଡ୍ ରୁଟ୍ ରେ ସମୁଦାୟ ୫୦୦ ଏକ୍ସରେ ମେସିନ୍ ଏବଂ ୧,୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି। କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲାଗିଛି। ୧୦୦ରୁ ଅଧିକ ମୋବାଇଲ ପୋଲିସ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି ଏବଂ ୧୦ଟି ସିସିଟିଭି କଣ୍ଟ୍ରୋଲ ରୁମ୍ ନିର୍ମାଣ ହୋଇଛି । ସେହିପରି ଆଜିଠାରୁ ୨,୦୦୦ ଅତିରିକ୍ତ ଟ୍ରାଫିକ୍ ପୋଲିସ ମୁତୟନ ହେବେ ।

୫୦୦ ଫୁଟ୍ ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ ହେବେ। ରାଜପଥ ସହ ରାଷ୍ଟ୍ରପତି ଭବନ ବାହାରେ ବି ସୁରକ୍ଷା କଡ଼ାକଡ଼ି କରାଯାଇଛି। ସିଏଏ ଏବଂ ଏନ୍ଆରସିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାରୁ ଅଧକାରୀମାନେ ସାଧାରଣତନ୍ତ୍ର ଦିବସ ଉତ୍ସବ ସମୟରେ କଳା ଟୋପି ପିନ୍ଧିବା ଉପରେ କଟକଣା ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.