ଏଥର ବିନା ମୁଖ୍ୟ ଅତିଥିରେ ପାଳନ ହେବ ସାଧାରଣତନ୍ତ୍ର ଦିବସ, ୧୯୬୬ ପରେ ଏହା ହେଉଛି ପ୍ରଥମ
14/01/2021 at 10:39 PM

ନୂଆଦିଲ୍ଲୀ ୧୪/୦୧: ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ କୌଣସି ବିଦେଶୀ ପ୍ରମୁଖଙ୍କୁ ଆମନ୍ତ୍ରଣ ନକରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୈଦେଶିକ ମନ୍ତ୍ରାଳୟ ଗୁରୁବାର ଦିନ ସୂଚନା ଦେଇଛନ୍ତି। ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ‘ବିଶ୍ବ ସ୍ତରରେ କୋଭିଡ-୧୯ର ସ୍ଥିତି ଯୋଗୁ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶୀ ରାଷ୍ଟ୍ର ମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ ନକରିବା ପାଇଁ ନିଷ୍ପତ୍ତି ହୋଇଛି।’
ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରିଥିଲେ ଭାରତ ସରକାର। କିନ୍ତୁ ବ୍ରିଟେନରେ କାରୋନାର ନୂଆ ରୂପର ପ୍ରକୋପ ଥିବାରୁ ଜନସନ ନିଜର ଭାରତ ଗସ୍ତ ରଦ୍ଦ କରିଥିଲେ। ଏହା ପରେ ସରକାରଙ୍କ ପକ୍ଷରୁ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂତୋଖୀଙ୍କୁ ଆମନ୍ତ୍ରଣ ଦିଆଯାଇଥିଲା।
ତେବେ ୧୯୬୬ ପରେ ପ୍ରଥମ ଥର ଭାରତରେ ବିନା ଅତିଥିରେ ଗଣତନ୍ତ୍ର ଦିବସ ଆୟୋଜିତ ହେବାକୁ ଯାଉଛି। ଭାରତ ଚତୁର୍ଥ ଥର ପାଇଁ ମୁଖ୍ୟ ଅତିଥି ବିନା ସାଧାରଣତନ୍ତ୍ର ଦିବସ ମନାଇବାକୁ ଯାଉଛି। ଏହା ପୂର୍ବରୁ ୧୯୫୨, ୧୮୫୩ ଓ ୧୯୬୬ରେ ଏମିତି ହୋଇସାରିଛି। ଏମିତି ମଧ୍ୟ ସମୟ ଆସିଛି ଦେଶର ସାଧାରଣତନ୍ତ୍ର ଦିବସ ଦୁଇ ଦୁଇ ଜଣ ମୁଖ୍ୟ ଅତିଥିଙ୍କ ଗହଣରେ ଆୟୋଜିତ ହୋଇଛି। ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଜଣ ଲେଖାଏଁ ମୁଖ୍ୟ ଅତିଥି ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ।