ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ; ନିର୍ବାଚନ କମିଶନଙ୍କୁ ଭେଟିଲେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି
14/02/2019 at 1:23 PM

ଭୁବନେଶ୍ବର ୧୪|୨: ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ । ନିର୍ବାଚନ କମିଶନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି । କଳବଳ କୌଶଳ ପ୍ରୟୋଗ ନେଇ ଦଳଗୁଡ଼ିକ ପରସ୍ପର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ନିର୍ବାଚନ କମିଶନଙ୍କୁ ଭେଟିଥିବା ବିଜେଡି ଟିମ୍ କହିଛି- ନିର୍ବାଚନୀ ହିଂସା ନହେଉ, ପେଟ୍ରୋଲ ପମ୍ପରେ ହେଉଥିବା ଟଙ୍କା କାରବାର ବନ୍ଦ କରାଯାଉ, ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପମୂଳକ ପୋଷ୍ଟ କରାନଯାଉ, ଚରିତ୍ର ସଂହାର କରାନଯାଉ ଏବଂ ନନ ଷ୍ଟାର କ୍ୟାମ୍ପେନରଙ୍କ ଖର୍ଚ୍ଚକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସାମିଲ କରାଯାଉ ।

ସେହିପରି ନିର୍ବାଚନ କମିଶନଙ୍କୁ ଭେଟିଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେମିତି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେନେଇ ନିର୍ବାଚନ କମିଶନ ପଦକ୍ଷେପ ନିଅନ୍ତୁ। କେନ୍ଦ୍ର ଓ ରାଜ୍ୟ ସରକାର ସରକାରୀ କଳର ଅପପ୍ରୟୋଗ କରିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ବୁଥ୍ କ୍ୟାପଚର୍ ଓ ପୋଲିସ ବଳ ଅପବ୍ୟବହାର ହେବା ନେଇ ଆଶଙ୍କା ପ୍ରକାଶ କରିଛି କଂଗ୍ରେସ । ସେଥିପାଇଁ ଭିଭିପାଟ୍ ମେସିନ୍ ର ବହୁଳ ପ୍ରଚାର ପ୍ରସାର ନେଇ ନିର୍ବାଚନ କମିଶନଙ୍କ ଆଗରେ ଦାବି ରଖିଛି କଂଗ୍ରେସ ।

ବିଜେପି ନେତା ଭୃଗୁ ବକ୍ସିପାତ୍ର ଦେଇଥିବା ପ୍ରସ୍ତାବ ମଧ୍ୟରେ ରହିଛି, ନିର୍ବାଚନରେ ଶାସକ ଦଳ କଳବଳ ଲଗାଇବା ଆଶଙ୍କା ରହିଛି । ବିଶେଷ କରି ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଦଳୀୟ କାର୍ଯ୍ୟରେ ଲଗା ନଯିବ ସେନେଇ କମିଶନ ପଦକ୍ଷେପ ନିଅନ୍ତୁ।
ନିର୍ବାଚନ ପୂର୍ବରୁ ନିର୍ବାଚନୀ ପ୍ରାର୍ଥୀଙ୍କ ହୋଡିଂ ହଟାଇବାକୁ ସିପିଆଇଏମ୍ ନେତା ନାରାୟଣ ରେଡ୍ଡି ଦାବି କରିଛନ୍ତି ।