କାଠମାଣ୍ଡୁ ୦୮।୦୬: ଗତ ମାସରେ ଭାରତ ସହିତ ସୀମା ବିବାଦକୁ ନେଇ ନେପାଳ ଏମିତି କଠୋର ଆଭିମୁଖ୍ୟ ଆପଣେଇଥିଲା ଯେ ନିଜ ଦେଶର ନୂତନ ନକ୍ସା ଜାରି କରି ଦେଲା। ପ୍ରଧାନମନ୍ତ୍ରୀ ଓଲି ଏହି ସମୟରେ ନିଜ ପାର୍ଟିରେ ନିଜ ବିରୋଧରେ ଛିଡା ହୋଇଥିବା ଲୋକ ଓ ବିରୋଧୀ ଦଳକୁ ନିଜ ସପକ୍ଷରେ ଟାଣି ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ନୂତନ ନକ୍ସାକୁ ସଂସଦରେ ଗୃହୀତ କରାଇବା ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏକଜୁଟତା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଗୋଟିଏ ମାସ ପୂର୍ବେ ବିରୋଧୀ ଗୋଷ୍ଠୀ ଓଲିଙ୍କ ଇସ୍ତଫା ଦାବି କରୁଥିଲେ। ରାଜନୈତିକ ବିଶେଷଜ୍ଞ ଏବେ ଅନୁମାନ କରୁଛନ୍ତି ଯେ, ଓଲି ଭାରତ ସହିତ ନକ୍ସା ପ୍ରସଙ୍ଗକୁ ଏମିତି ଆକ୍ରମଣାତ୍ମକ ଭାବେ ଉଠାଇଥିଲେ, ଯଦ୍ଵାରା ତାଙ୍କ ଗାଦି ବଞ୍ଚିଯିବ।
ନକ୍ସା ବଞ୍ଚାଇ ଦେଲା ଗାଦି
ନେପାଳି ନ୍ୟୁଜ୍ ସାଇଟ୍ କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ ନେପାଳି କମ୍ୟୁନିଷ୍ଟ ପାର୍ଟିରେ ପୁଷ୍ପ କମଲ ଦହଲ ଓ ବରିଷ୍ଠ ନେତା ମାଧବ କୁମାରଙ୍କ ଗୋଷ୍ଠୀ ପକ୍ଷରୁ ଓଲିଙ୍କ ଇସ୍ତଫା ଦାବି କରାଯାଉଥିଲା। ମାତ୍ର ଏବେ ସବୁ ନିରବ ରହିଛନ୍ତି। ମାଧବ କୁମାରଙ୍କ ଅନୁଯାୟୀ ଦେଶର ଅବସ୍ଥା ଗମ୍ଭୀର ରହିଛି ଓ ଏମିତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ମାଗିବା ଅନୁଚିତ୍ ଓ ଅନୈତିକ ହେବ। କିନ୍ତୁ ବିରୋଧୀ ଗୋଷ୍ଠୀଙ୍କ କହିବା କଥା ଓଲିଙ୍କ ଇସ୍ତଫା ଦାବି ସମାପ୍ତ ହୋଇ ନାହିଁ। ବଜେଟ୍ ଏବଂ ନୂତନ ନକ୍ସା ପାରିତ ହେବା ପର୍ଯ୍ୟନ୍ତ ଏହାକୁ ରୋକି ଦିଆଯାଇଛି। ପୋଷ୍ଟ ପାର୍ଟି ଭିତରୁ ଅନେକ ଲୋକଙ୍କ ସୂତ୍ରରୁ କହିଛି, ଭାରତ ସହିତ ସୀମା ବିବାଦ ଓଲିଙ୍କ ଗାଦିକୁ ବଞ୍ଚାଇ ଦେଇଛି।
ଏଥିପାଇଁ ସମର୍ଥନରେ ଆସିଲେ ପାର୍ଟି
ଯେବେ ଦେଶର ସଂସଦରେ ସଂଶୋଧିତ ନକ୍ସା ଗୃହୀତ କରାଇବାର କଥା ଆସିଲା ତେବେ ସବୁ ଦଳ ପାଇଁ ଏକାଠି ଆସିବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା। ନକ୍ସା ପ୍ରସଙ୍ଗ କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତାର ବିଷୟ ଥିଲା। ଏମିତିରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା କୌଣସି ବ୍ୟକ୍ତି ବି ଦେଶ ବିରୋଧୀ ହୋଇଯିବ। ମାତ୍ର ପାର୍ଟି ଭିତରୁ ଉଠୁଥିବା ସ୍ଵର ଅନୁଯାୟୀ, ଓଲି ହୋଇପାରେ ସାଂପ୍ରତିକ ସ୍ଥିତିକୁ ନେଇ ସଭିଙ୍କୁ ଚୁପ୍ କରାଇଛନ୍ତି, ହେଲେ ଆଗାମୀ ସମୟରେ ତାଙ୍କୁ ଭାରି ମହଙ୍ଗା ପଡିବ।
କଣ ଥିଲା ବିବାଦ
ଭାରତର ଲିପୁଲେଖରେ ମାନସରୋବର ସଂଯୋଗ ନିର୍ମାଣକୁ ନେଇ ନେପାଳ କଡା ପ୍ରତିକ୍ରିୟା ଦେଇଥିଲା। ପଡୋଶୀ ଦେଶର ଦାବି ଏହା ଯେ, ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ଏହାର ଅଞ୍ଚଳ। ଏହି ପରିପ୍ରେକ୍ଷୀରେ ନେପାଳ ନୂତନ ନକ୍ସା ଜାରି କରି ଏହି ତିନୋଟି କ୍ଷେତ୍ରକୁ ନିଜର ଅଞ୍ଚଳ ଦର୍ଶାଇଥିଲା। ଏହି ନକ୍ସାକୁ ଯେବେ ଦେଶର ସଂସଦରେ ଗୃହୀତ କରାଇବା କଥା ଉଠିଲା ତେବେ ସବୁ ପାର୍ଟି ଏକ ସଙ୍ଗେ ନଜର ଆସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ନେଇ ନିଜର କଠୋର ଆଭିମୁଖ୍ୟ ଆପଣେଇଥିଲେ।
ଆଲୋଚନା ପାଇଁ ପ୍ରସ୍ତୁତ ନେପାଳ
ନୂତନ ନକ୍ସାରେ ଭାରତର ଅଞ୍ଚଳକୁ ନିଜର ଦର୍ଶାଇବା ପରେ ଏବେ ନେପାଳ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି। ନେପାଳ ଭାରତକୁ କହିଛି ସେ ବିଦେଶ ସଚିବଙ୍କ ଭର୍ଚୁଆଲ ମିଟିଂ ପାଇଁ ମଧ୍ୟ ପ୍ରସ୍ତୁତ। ନେପାଳ କହିଛି ବୈଦେଶିକ ସଚିବ ସାମ୍ନାସାମ୍ନି ଭର୍ଚୁଆଲ ମିଟିଂରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ପ୍ରସଙ୍ଗରେ ଆଲୋଚନା କରିପାରିବେ।