ରେପୋରେଟ୍‌ ଓ ରିଭର୍ସ ରେପୋରେଟ୍‌ ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ...

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ୬/୮: ବର୍ଷର ଦ୍ବିତୀୟ କ୍ବାର୍ଟରରେ ଆର୍ଥିକ ନୀତି ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍  ଇଣ୍ଡିଆ। ଆଜି ଦ୍ବିତୀୟ ଆର୍ଥିକ ନୀତି ଘୋଷଣା କରାଯାଇଥିବା ବେଳେ ଏଥିରେ ରେପୋ ରେଟ୍  ଏବଂ ରିଭର୍ସ ରେପୋ ରେଟ୍  ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ କରୋନା ପାଇଁ ଦେଶର ଆର୍ଥିକ ଅବସ୍ଥା ଜଟିଳ ସ୍ଥିତି ଦେଇ ଗତି କରୁଛି। ଆଗକୁ ମୁଦ୍ରାସ୍ଫୀତି ବଢିବା ଆଶଙ୍କା ରହିଛି।  ତେବେ କରୋନା ଅପସରିଗଲେ ଦେଶରେ ଆର୍ଥିକ ସ୍ଥିତାବସ୍ଥା ଆଣିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଶକ୍ତିକାନ୍ତ ଦାସ କହିଥିଲେ।

ରେପୋରେଟ୍‌ ଓ ରିଭର୍ସ ରେପୋରେଟ୍‌ ଅପରିବର୍ତ୍ତିତ ରଖିଲେ ରିଜର୍ଭ ବ୍ୟାଙ୍କ । ରେପୋରେଟ୍‌ ୪ ପ୍ରତିଶତ ଏବଂ ରିଭର୍ସ ରେପୋରେଟ୍‌ ପୂର୍ବଭଳି ୩.୩୫ ପ୍ରତିଶତ ରହିଥିବା ତଥ୍ୟ ଦେଇଛନ୍ତି ଶକ୍ତିକାନ୍ତ ଦାସ । ଏବେ କରୋନା ପାଇଁ ଦେଶର ଆର୍ଥିକ ଅବସ୍ଥା ଜଟିଳ ସ୍ଥିତି ଦେଇ ଗତି କରୁଛି । ଏଥିପାଇଁ ଆଗକୁ ମୁଦ୍ରାସ୍ପିତୀ ବଢିବା ଆଶଙ୍କା ରହିଛି । ସେପଟେ ବ୍ୟାଙ୍କ ଗୁଡିକର ଅନାଦେୟ ଋଣ ପରିମାଣ ମଧ୍ୟ ଚିନ୍ତାଜନକ ରହିଛି। ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହା ୧୨ ଦଶମିକ ୫ ପ୍ରତିଶକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଚଳିତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହା ୮ ଦଶମିକ ୫ ପ୍ରତିଶତ ଥିଲା । କରୋନା ଅପସରିଗଲେ ଦେଶରେ ଆର୍ଥିକ ସ୍ଥିତାବସ୍ଥା ଆଣିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।

ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ୩ ଦିନିଆ ବୈଠକ ବସିଥିଲା ।ବୈଠକରେ ନଗଦ କାରବାର ବଢାଇବା ଉପରେ ଜୋର ଦିଆଯାଇଥିଲା । ବିତ୍ତିୟ ସଂସ୍ଥା ଗୁଡିକୁ କରୋନା କାଳରେ କିଭଳି ଅଧିକ ସହାୟତା ପ୍ରଦାନ କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଚେକ୍‌ ପେମେଣ୍ଟରେ ସୁରକ୍ଷା ବଢାଇବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୫୦ ହଜାରରୁ ଅଧିକ ଟଙ୍କାର ଚେକ୍‌ ପେମେଣ୍ଟ ଉପରେ ଏକ ପିଜିଟି ପେ ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରାଯାଇଛି । ତେବେ ଲୋନ୍‌ ଇଏମ୍‌ଆଇ ମୋରେଟୋରିୟମ୍‌ ଉପରେ ଏବେ କିଛି ଘୋଷଣା କରାଯାଇାହିଁ ।

ଏଣିକି ଗୋଲ୍ଡ ଲୋନ୍‌ ଉପରେ ୯୦ ପ୍ରତିଶତ ଋଣ ମିଳିପାରିବ । ଅର୍ଥାତ୍‌ ଯଦି କେହି କୌଣସି ବ୍ୟକ୍ତି ସୁନା ଗହଣା ବନ୍ଧା ରଖୁଛନ୍ତି ତେବେ ସେ ଏଥିରୁ ୯୦ ପ୍ରତିଶତ ଋଣ ନେଇପାରିବେ ଯାହା ପୂର୍ବରୁ ୭୫ ପ୍ରତିଶତ ଥିଲା । କରୋନା ସଙ୍କଟ ସମୟରେ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଏବଂ ହାଉସିଂ ସେକ୍ଟର ଗୁଡିକୁ ନଗଦ ସମସ୍ୟାରୁ ବଞ୍ଚାଇବା ପାଇଁ ୧୦ ହଜାର କୋଟି ଟଙ୍କା ନଗଦ ପ୍ରଦାନ କରିବାକୁ ସ୍ଥିର ହୋଇଛି । କରୋନା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଗ୍ରୋଥ୍‌ ନେଗେଟିଭ୍‌ ରହିବ ବୋଲି କୁହାଯାଇଛି ।

ଦେଶରେ କରୋନା ପାଇଁ ଦରଦାମ ବଢିଛି । ତେବେ ମୌସୁମୀ ଠିକ୍ ସମୟରେ ଆସିଥିବାରୁ କୃଷି ଉତ୍ପାଦନ ଭଲ ହୋଇଚି । ଏମ୍‌ପିସିର ଅନୁମାନ ଚଳିତ ବର୍ଷ ଜୁଲାଇ ସେପ୍ଟେମ୍ବର ତ୍ରୟୋମାସରେ ଦରଦାମ ଉଚ୍ଚା ରହିବ ଏବଂ ଏହାପରେ କମିବ ବୋଲି ଆଶା କରାଯାଉଛି । ରିଜର୍ଭ ବ୍ୟାଙ୍କ ଋଣନୀତି ଅପରିବର୍ତ୍ତିତ ରଖିବାର ପ୍ରଭାବ ସେୟାର ବଜାର ଉପରେ ସକାରତ୍ମକ ଭାବେ ପଡ଼ିଛି ।ଉଭୟ ସେନସେକ୍ସ ଏବଂ ନିଫଟି ସୂଚକାଙ୍କ ବୃଦ୍ଧି ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.