RBIଙ୍କ ଘୋଷଣା: ରେପୋ ହାର ଅପରିବର୍ତ୍ତିତ, ସୁଧହାର ସ୍ଥିର

Published By : Prameya-News7 Bureau | August 06, 2020 IST

ମୁମ୍ବାଇ ୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ମୌଦ୍ରିକ ନୀତି ସମୀକ୍ଷା ଗୁରୁବାର ଶେଷ ହୋଇଛି। ୩ ଦିବସୀୟ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ନିଷ୍କର୍ଷ ଘୋଷଣା କରିଛନ୍ତି। ଏଥିରେ ରେପୋ ହାରରେ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଦାସ କହିଥିବା ବେଳେ ସୁଧହାର ଅପରିବର୍ତ୍ତିତ ରହିଛି। ତେବେ ଲୋନ ମୋରେଟରିୟମ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର କୌଣସି ସୂଚନା ନଦେବା ଅଗଷ୍ଟ ୩୧ରୁ ଯୋଜନା ସମାପ୍ତ ହେଉଥିବା ସ୍ପଷ୍ଟ ହୋଇଯାଇଛି।

{"id":310592,"sizeSlug":"large"}

ଦାସ କହିଛନ୍ତି ଯେ ରେପୋ ହାର ପୂର୍ବବତ ୪ ପ୍ରତିଶତରେ ସ୍ଥିର ରହିଛି। ଏଣୁ ଋଣ ଉପରେ ଗ୍ରାହକ ଆଶା କରିଥିବା ସୁଧହାର ହ୍ରାସ ହୋଇ ନାହିଁ କି ଇଏମଆଇ ବାବଦେ କୌଣସି ରିହାତି ମିଳିବ ନାହିଁ। ସେହିପରି ରେପୋ ହାର ସ୍ଥିର ରହିବା ଯୋଗୁ ରିଭର୍ସ ରେପୋ ହାର ମଧ୍ୟ ୩.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଏଣୁ ବ୍ୟାଙ୍କ ହାର ମଧ୍ୟ ୪.୨୫ ପ୍ରତିଶତରେ ସ୍ଥିର ରହିଛି।

{"id":310593,"width":578,"height":388,"sizeSlug":"large"}

କରୋନା ଭାଇରସ ମହାମାରୀ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାକୁ କବଳିତ କରିଛି। ହେଲେବି ବୈଦେଶିକ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ଜାରି ରହିଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି। ଏଣୁ ଖୁଚୁରା ମୁଦ୍ରାସ୍ପିତି ନିୟନ୍ତ୍ରଣାଧୀନ ଥିବା ବେଳେ ଦେଶ ଏବେ ଆର୍ଥିକ ସୁଧାର ଆଡକୁ ଗତିକରିବା ଆରମ୍ଭ କରିଛି। ତେବେ ୨୦୨୦-୨୧ରେ ଜିଡିପି ବୃଦ୍ଧି ହାର ଋଣାତ୍ମକ ରହିବ ବୋଲି ଦାସ ପୁଣି ତରେ ସ୍ପଷ୍ଟ  କରିଦେଇଛନ୍ତି।

{"id":310594,"sizeSlug":"large"}

କୋଭିଡ-୧୯ ଲକଡାଉନ ଲାଗି ସରକାର ଦୁଇଥରରେ ଲୋନ ମୋରେଟରିୟମକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ଏଥିରେ ଲୋକେ ଆରବିଆଇଙ୍କ ନୀତି ସମୀକ୍ଷାକୁ ଅପେକ୍ଷା କରି ରହିଥିବା ବେଳେ ଗଭର୍ଣ୍ଣର ଏ ନେଇ ଗୋଟିଏ ଶବ୍ଦ ମଧ୍ୟ ଉଚାରଣ କରିନାହାନ୍ତି। ଏଥିରୁ ଅଗଷ୍ଟ ୩୧ରୁ ଲୋନ ମୋରେଟରିୟମ ସମାପ୍ତ ହେଉଥିବା ସ୍ପଷ୍ଟ ହୋଇଯାଇଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.