ଗୁହାରି କରି ନ୍ୟାୟ ମିଳିଲାନି, ହତାଶାରୁ ରାଜୀବ କିଶାନ ଲଗାଇଥିଲେ ନିଆଁ: ଅସାଧୁ କର୍ମଚାରୀଙ୍କ ପାଇଁ ଭୋଗୁଥିଲେ ରାଜୀଭ, ମିଳିଛି ସୁରାକ୍

Published By : Prameya-News7 Bureau | November 21, 2020 IST

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସ ପୋଡ଼ି ଘଟଣାରେ ଗିରଫ ଅଭିଯୁକ୍ତ ରାଜୀବ କିଶାନଙ୍କ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଛି । ୨୦୦୪ମସିହାରେ କିଛି ଜମି ଦଲାଲ ଏବଂ ତହସିଲ ଅଫିସର ଅସାଧୁ କର୍ମଚାରୀଙ୍କ ମିଲଭଗତରେ ରାଜୀବ କିଶାନଙ୍କ ପୈତୃକ ଜମିକୁ ଚଞ୍ଚକତା କରି ବିକ୍ରି କରିଦିଆଯାଇଛି । ନ୍ୟୁଜ୍‌ 7 ହାତରେ ଲାଗିଛି ଏହି ଚଞ୍ଚକତାର ପୂରା ଦସ୍ତାବିଜ୍‌ । ….

ବର୍ଷ ବର୍ଷ ଧରି ଗୁହାରି ପରେ ଯେତେବେଳେ ସରକାରୀ ବ୍ୟବସ୍ଥା ଠାରୁ ନ୍ୟାୟ ମିଳିଲାନି, ସେତେବେଳେ ଧୈର୍ଯ୍ୟହରା ହୋଇ ତହସିଲ୍‌ ଅଫିସ ଜାଳିଦେବା ଭଳି ଅଭାବନୀୟ କାଣ୍ଡ କରି ବସିଲେ ସମ୍ବଲପୁର ରେଙ୍ଗାଲିର ଯୁବକ ରାଜୀବ କିଶାନ । ତାଙ୍କ ଦୋଷ ପାଇଁ ପୋଲିସ ତାଙ୍କୁ ଗିରଫ କରିଛି। ହେଲେ ଏଭଳି ମାନସିକତା ପାଇଁ ରାଜୀବ କିଶାନଙ୍କୁ ବାଧ୍ୟ କରିଥିବା ଅସଲ ଦୋଷୀ କିନ୍ତୁ ଏବେ ବି ଖୁଲମ୍‌ ଖୁଲ୍ଲା ବାହାରେ ବୁଲୁଛନ୍ତି। ଜମି ଦଲାଲ ଓ ରେଙ୍ଗାଲି ତହସିଲ୍‌ ଅଫିସ ର କିଛି ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଚଞ୍ଚକତା କରି ରାଜୀବଙ୍କ ପୈତୃକ ଜମିକୁ ବିକ୍ରି କରାଦିଆଯାଇଛି । ନ୍ୟୁଜ୍‌ 7 ହାତରେ ଲାଗିଛି ଏହି ଚଞ୍ଚକତାର ପୂରା ଦସ୍ତାବିଜ୍‌। ରାଜୀବ କିଶାନଙ୍କ ମାଆ ତପସ୍ବିନୀ କିଶାନ ଗୋଟିଏ ଝିଅ ହୋଇଥିବାରୁ ତାଙ୍କ ବାପା ଶୁକ୍ରୁ କିଶାନଙ୍କ ସବୁ ସମ୍ପତ୍ତିର ହକଦାର ଥିଲେ। ଏମିତିରେ ତପସ୍ବିନୀଙ୍କ ପୁଅ ହିସାବରେ ରାଜୀବ କିଶାନ ଓ ତାଙ୍କ ସାନ ଭାଇ ଏହି ସବୁ ସମ୍ପତ୍ତିର ଉତ୍ତରାଧିକାରୀ।  ହେଲେ ତହସିଲ ଅଫିସରୁ ମିଳିଥିବା ଏହି ଜମି ବିକ୍ରି ଡିଡ୍ କପି  ଉପରେ ଟିକେ ନଜର ପକାନ୍ତୁ। ଯେଉଁଥିରେ ଶ୍ରୀବତ୍ସ ମିର୍ଧା ନାମକ ଜଣେ ବ୍ୟକ୍ତି ନିଜକୁ ଶୁକ୍ରୁ କିଶାନଙ୍କ ନାତି ଦର୍ଶାଇ ଜମି ବିକ୍ରି କରିଛନ୍ତି।  ଆଉ ସେଥିରେ ଗୁମକାରମା ଗାଁର ଦୁଲ୍ଲଭ କିଶାନ ଓ ହରିଶଙ୍କର ବେହେରା ସାକ୍ଷୀ  ଭାବେ ଦସ୍ତଖତ କରିଛନ୍ତି।  ଶୁକ୍ରୁଙ୍କ ନାଁରେ ଡେବ୍ରା ମୌଜାରେ ଥିବା ଖାତା ନମ୍ବର ୩୦୮ର ୧୩୨୯ ପ୍ଲଟରୁ ୦.୪୦ ଡିସମିଲ୍, ପ୍ଲଟ ନମ୍ବର ୧୮୦/ ୩୧୭୬ରୁ ୦.୦୫ ଡିସମିଲ୍, ପ୍ଲଟ ନମ୍ବର ୩୮୭ରୁ ୦.୦୧ ଡିସମିଲ୍ ଏମିତି ଏକାଧିକ ପ୍ଲଟ ବିକ୍ରି କରିଦେଇଛନ୍ତି ଜମି ଦଲାଲ୍। ଆଉ ଏସବୁ ସମ୍ଭବ ହୋଇପାରିଛି ରେଙ୍ଗାଲି ତହସିଲ ଅଫିସର କିଛି ଅସାଧୁ କର୍ମଚାରୀଙ୍କ ପାଇଁ। ଯେଉଁମାନେ ଦଲାଲଙ୍କ ଠାରୁ ମୋଟା ଅଙ୍କର ମାଲ୍ ନେଇ ନିଜ ପକେଟ ଗରମ କରିଛନ୍ତି। ଏମିତିକି ଶୁକ୍ରୁ କିଶାନଙ୍କ ନାଁରେ ଥିବା 4 ଏକର ଜମିରୁ 2 ଏକର ରୁ ଅଧିକ ଜମି ଏହି ଦଲାଲ୍ ମାନେ ବିକ୍ରି କରିଛନ୍ତି।

ରେଙ୍ଗାଲି ତହସିଲ ଅଂଚଳରେ ଅନେକ କଳକାରଖାନା ଗଢି ଉଠିଥିବାରୁ ଜମି ଦଲାଲ୍ ଓ ଜମି ମାଫିଆ ଏଠି ଗରିବ ଲୋକଙ୍କ ଅନେକ ଜମିକୁ ଏଭଳି ଚଞ୍ଚକତା କରି ହଡ଼ପ କରିଛନ୍ତି । ଆଉ ଏହି ଦୁର୍ନୀତିର ଗନ୍ତାଘର ପାଲଟିଛି ସମ୍ବଲପୁର ରେଙ୍ଗାଲି ତହସିଲ୍ ଅଫିସ। ତହସିଲ ଅଫିସ ପୋଡ଼ି ଘଟଣାରେ ଗିରଫ ରାଜୀବ କିଶାନଙ୍କ କ୍ଷ୍ରେତରେ ଅନ୍ୟାୟ ହୋଇଥିବା ଗାଁ ଲୋକେ ମଧ୍ୟ ଅନୁଭବ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.