ଏତେ ଦିନ ହେଲା ଦୋଷୀକୁ କାହିଁକି ରିମାଣ୍ଡରେ ନିଆଯାଉ ନାହିଁ? ତଦନ୍ତ ଦିଗହରା ହେଲେ ପୋଲିସ୍ ଡିଜିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ମୃତକଙ୍କ ପରିବାର ଲୋକେ
9/02/2020 at 7:26 PM

ଆଠଗଡ଼୯/୨: ରେଙ୍ଗାଲି ସୁପରଭାଇଜର ସୌମେନ୍ଦ୍ରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ବିଶ୍ବଜିତ ସାହୁକୁ ପୋଲିସ୍ ଗିରଫ କରିଛି। ହେଲେ ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ତାକୁ ରିମାଣ୍ଡରେ ନେଇ ପଚରାଉଚାର କାହିଁକି କରୁ ନାହିଁ ବୋଲି ସୌମେନ୍ଦ୍ରଙ୍କ ସଂପର୍କୀୟ ପ୍ରଶାନ୍ତ ସାହୁ ପ୍ରଶ୍ନ ଉଠାଇଛନ୍ତି। ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଥିବା ନେଇ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ଯଦି ଠିକ ବାଟରେ ତଦନ୍ତ ନହୁଏ କିମ୍ବା କାହା ଚାପରେ ତଦନ୍ତକୁ ବାଟମଣା କରିବାକୁ ଚେଷ୍ଟା କରାଯାଏ ତେବେ ପୋଲିସ ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି ମୃତକଙ୍କ ପରିବାର ଲୋକ କହିଛନ୍ତି। ଏପରି କି ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ ମଧ୍ୟ କହିଥିଲେ ଏହି ହତ୍ୟାକାଣ୍ଡରେ ଅନ୍ୟ କେହି ଅଭିଯୁକ୍ତ ସାମିଲ ଥାଇ ପାରନ୍ତି। ତେବେ ଦୋଷୀକୁ ରିମାଣ୍ଡରେ ନେଇ ପୋଲିସ୍ କାହିଁକି ଖୋଳତାଡ଼ କରୁ ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି।
ସୌମେନ୍ଦ୍ରଙ୍କ ହତ୍ୟାକାରୀର ଗିରଫକୁ ଏତେ ଦିନ ବିତିଗଲେ ବି ହତ୍ୟାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସଂପର୍କରେ ପୋଲିସ ଟେର ପାଇ ନାହିଁ। ଏପରି କି ଏହି ହତ୍ୟା ଘଟଣାକୁ ପୋଲିସ ଗୁରୁତର ସହ ନେଉ ନାହିଁ ବୋଲି ସୌମେନ୍ଦ୍ରଙ୍କ ସଂପର୍କୀୟ ପ୍ରଶାନ୍ତ କହିଛନ୍ତି। ଶିବଜ୍ୟୋତି କଷ୍ଟ୍ରକ୍ସନର ମାଲିକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଏପର୍ଯ୍ୟନ୍ତ ଘଟଣା ସଂପର୍କରେ ମୃତକଙ୍କ ପରିବାରକୁ ଆଠଗଡ଼ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କାହା ଚାପରେ ତଦନ୍ତ ଦିଗହରା ହେବନି ତ? ଏମିତି ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ବାପା ନିତ୍ୟାନନ୍ଦ ସାହୁ ଏବଂ ତାଙ୍କ ମାମୁଁ ମହେଶ୍ବର ସାହୁ। ପୋଲିସ୍ ଠିକ୍ ଦିଗରେ ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ମୃତକଙ୍କ ପରିବାର ଲୋକ ଦାବି ରଖିଛନ୍ତି।