ନୂଆଦିଲ୍ଲୀ, ୦୬/୦୩ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି । ତାରିଖ ଘୋଷଣା ପରେ ନିର୍ବାଚନ ଆୟୋଗ ପ୍ରଚାର ଅଭିଯାନକୁ ନେଇ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବ ସେଠାରେ ଦିଆଯାଉଥିବା କରୋନା ଟିକାର ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କେରଳ, ପଣ୍ଡିଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାନୁସାରେ, କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ୍ ଦିଆଯାଏ । ଏହି ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି । ଏହି ଫଟୋକୁ ହଟାଇବା ପାଇଁ ଆୟୋଗ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ଆଧିକାରୀଙ୍କ ଏହି ନିଷ୍ପତ୍ତି ଟିଏମସି ସାଂସଦ ଡେରେକ ଆବ୍ରାୟନଙ୍କ ଅଭିଯୋଗ ପରେ ଆସିଛି । ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରାଙ୍କ ନିକଟରେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ସେହିପରି କଂଗ୍ରେସ ନେତା କପିଲ ସିବ୍ବଲ ସାର୍ଟିଫିକେଟରେ ସ୍ୱାସ୍ଥ୍ୟକର୍ମୀଙ୍କ ଫଟୋ ରହୁ ବୋଲି କହିଥିଲେ ।