ମୋ କଥା ମନେ ରଖନ୍ତୁ, ନୂତନ କୃଷି ଆଇନ୍ ରଦ୍ଦ କରିବାକୁ ବାଧ୍ୟ ହେବେ ମୋଦୀ ସରକାର: ରାହୁଲ ଗାନ୍ଧୀ
14/01/2021 at 5:22 PM

ନୂଆଦିଲ୍ଲୀ ୧୪।୦୧: ତାମିଲନାଡୁ ପହଞ୍ଚିଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କୃଷି ଆଇନ ଉପରେ ଘେରିଛନ୍ତି। ସାମ୍ଵାଦିକଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି କୃଷକଙ୍କ ବିରୋଧରେ ଷଡଯନ୍ତ୍ର ରଚୁଥିବା ସରକାରଙ୍କ ଉପରେ ଆରୋପ ଲାଗିଛି। ରାହୁଲ ଗୁରୁବାର ଏଠାରେ ପୋଙ୍ଗଲ ପାଳନ ଓ ଜଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଥିଲେ। ମଦୁରାଇରେ ଆୟୋଜିତ ଜଲ୍ଲିକଟ୍ଟୁ କାର୍ଯ୍ୟକ୍ରମରେ ରାହୁଲଙ୍କ ସହିତ ଅନେକ ବଡ ନେତା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି।
ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ସରକାର କିଛି ଲୋକଙ୍କ ସ୍ଵାର୍ଥ ସାଧନ ପାଇଁ କୃଷକଙ୍କ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି। ସରକାର କୃଷକଙ୍କୁ କେବଳ ଅଣଦେଖା କରୁନାହାନ୍ତି ବରଂ ନିଜର ୨-୩ ବନ୍ଧୁଙ୍କୁ ଫାଇଦା ଦେବା ପାଇଁ ସେମାନଙ୍କୁ ବରବାଦ କରିବାକୁ ଷଡଯନ୍ତ୍ର ରଚିଛନ୍ତି। ସେମାନେ କୃଷକଙ୍କ ସଂପତ୍ତିକୁ ନିଜର ଏହି ବନ୍ଧୁଙ୍କ ହାତରେ ଟେକି ଦେବାକୁ ଚାହାନ୍ତି।
Mark my words. Take it from me. The Government will be forced to take these laws (the three #FarmLaws), back. Remember what I said: Congress leader Rahul Gandhi, in Madurai, Tamil Nadu pic.twitter.com/UJCcUJGJHh
— ANI (@ANI) January 14, 2021
ମଦୁରାଇରେ ରାହୁଲ ଗାନ୍ଧୀ କହିଛନ୍ତି, କୃଷକ ହିଁ ଦେଶର ମେରୁଦଣ୍ଡ। ଯଦି ଆପଣ ଭାବୁଛନ୍ତି ଯେ, କୃଷକଙ୍କୁ ଦବାଇଲେ ଦେଶ ସମୃଦ୍ଧ ହେବ ତେବେ ଏହା ସରକାରଙ୍କ ମତିଭ୍ରମ। ସେମାନଙ୍କୁ ଇତିହାସ ଦେଖିବାର ଆବଶ୍ୟକତା ରହିଛି। ଯେବେ ଯେବେ ଭାରତୀୟ କୃଷକ ଦୁର୍ବଳ ହୋଇଛି, ଭାରତ ମଧ୍ୟ ଦୁର୍ବଳ ହୋଇଛି। ରାହୁଲ ଏହି ସମୟରେ ଅନେକ ଥର ଭାରତୀୟ ଜନତା ପାର୍ଟି ଉଦ୍ୟୋଗପତିଙ୍କୁ ସାହାଯ୍ୟ କରୁଥିବା ଆରୋପ ଲଗାଇଛନ୍ତି।
ରାଜଧାନୀ ଦିଲ୍ଲୀର ସୀମାରେ ପ୍ରାୟ ୬ ସପ୍ତାହ ହେବ କୃଷକ ଆନ୍ଦୋଳନ କରୁଛନ୍ତି। କୃଷକ ସରକାରଙ୍କଠାରେ ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରିଛନ୍ତି। ରାହୁଲ ଦାବି କରିଛନ୍ତି ଯେ, ସରକାରଙ୍କୁ ଏହି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ସେ କହିଛନ୍ତି ମୋର ଶବ୍ଦକୁ ମନେ ରଖନ୍ତୁ, ସରକାର ଏହି ଆଇନ୍କୁ ପ୍ରତ୍ୟାହାର କରିବାକୁ ବିବଶ ହେବେ। ସରକାର ଓ କୃଷକଙ୍କ ମଧ୍ୟରେ ଜାନୁଆରୀ ୧୫ରେ ନବମ ପର୍ଯ୍ୟାୟ ବୈଠକ ହେବାକୁ ଯାଉଛି।