ରେମଡେସିଭ୍‌ର ଇଞ୍ଜେକ୍ସନ ପାଇଁ ସିଏମଓ ବାହାରେ ୨୪ ଘଣ୍ଟାର ଅପେକ୍ଷା, ସେପଟେ ବ୍ଲାକ୍‌ରେ ଦାମ ୩୦ ହଜାର ଟଙ୍କା

Published By : Prameya-News7 Bureau | April 26, 2021 IST

ନୋଏଡା ୨୬/୪:  ଗାଜିଆବାଦ ଏବଂ ନୋଏଡାରେ ରେମଡେସିଭିର ଇଞ୍ଜେକ୍ସନର ଅଭାବ ଦୂର ହେବାର ନାଁ ଧରୁନି। ଜୀବନ ବଞ୍ଚାଇବାକୁ ଲୋକେ କଳାବଜାରୀଙ୍କ ପାଖରୁ ଚଢ଼ା ଦାମରେ ଇଞ୍ଜେକ୍ସନ କିଣୁଛନ୍ତି। କିନ୍ତୁ ଯାହା ପାଖରେ ଟଙ୍କା ନାହିଁ ସେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ନିଜ ବାପାଙ୍କ ପାଇଁ ଇଞ୍ଜେକ୍ସନ ନମିଳିବାରୁ ଅସହାୟ ହୋଇ କାନ୍ଦି କାନ୍ଦି ନୟାନ୍ତ ହୋଇଛି ପୁଅ। ସେ ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ପୋଲିସ ଇନସ୍‌ପେକ୍ଟର ମହେନ୍ଦ୍ର ସିଂହ ଭଦୋରିଆଙ୍କ ପୁଅ ବୋଲି ଜଣାପଡ଼ିଛି ।

ମହେନ୍ଦ୍ର ସିଂହ ଏବେ କରୋନା ସଂକ୍ରମିତ ହୋଇଥିବା ବେଳେ ନୋଏଡାର ସେକ୍ଟର ୩୯ ସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଡାକ୍ତର ରେମଡେସିଭିର୍‌ ଇଞ୍ଜେକ୍ସନ ଦେବାକୁ କହିଛନ୍ତି। ଜଳଦି ଏହି ଇଞ୍ଜେକ୍ସନ ନଦେଲେ ମହେନ୍ଦ୍ର ସିଂହଙ୍କ ଜୀବନ ମଧ୍ୟ ଯାଇପାରେ ବୋଲି ଡାକ୍ତର କହିଛନ୍ତି।  ସେବେଠୁ ତାଙ୍କ ପୁଅ ରେମଡେସିଭିର୍‌ ପାଇଁ ସେକ୍ଟର ୩୯ରେ ସିଏମଓ କାର୍ଯ୍ୟାଳୟରେ ଜଗି ବସିଛନ୍ତି। କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ ହୋଇଯାଇଛି।

ସାରା ଜୀବନ ପୋଲିସରେ ରହି ଦେଶ ପାଇଁ କାମ କଲେ ଏବେ ତାଙ୍କୁ ଇଞ୍ଜେକ୍ସନ୍‌ ଟିଏ ମିଳୁନାହିଁ ବୋଲି ମହେନ୍ଦ୍ର ସିଂହଙ୍କ ପୁଅ କହିଛନ୍ତି।  ସିଏମଓ ଅଫିସ ସାମ୍ନାରେ ବସି ରହିଥିବା ଅନ୍ୟ ଲୋକମାନଙ୍କ ମତରେ ସେମାନେ ରେମଡେସିଭିର ଇଞ୍ଜେକ୍ସନ ପାଇଁ ଦୀର୍ଘ ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। ଡାକ୍ତରଙ୍କ ଅନୁମତି ପରେ ବି ଇଞ୍ଜେକ୍ସନ ମିଳୁନି। କିନ୍ତୁ ଏଠାରେ ରେମଡେସିଭି୍‌ ମହଜୁଦ ଅଛି। ଏହା ସହ ସିଏମଓ ପାଖରୁ ଅନ୍ୟ କାର୍ଯ୍ୟାଳୟର ଅଧିକାରୀ ଫୋନ୍ ଉଠାଉନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି।

  ଅନ୍ୟ ଜଣେ ଯୁବକ ରାକେଶ ମଧ୍ୟ ନିଜ ଦୁଃଖ କାହାଣୀ କହିଛନ୍ତି। ତାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି। ବଜାରରେ ରେମଡେସିଭିର ଇଞ୍ଜେକ୍ସନ ୩୦-୪୦ ହଜାର ଟଙ୍କାରେ ମିଳୁଛି । ଏତେ ଟଙ୍କା ନାହିଁ ଯେ ଇଞ୍ଜେକ୍ସନ କିଣିପାରିବି ବୋଲି ସେ କହିଛନ୍ତି। ଲୋକମାନେ ସିଏମଓ ଅଫିସ୍‌ ବାହାରେ ୨୪ ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। କେବଳ ଗୋଟିଏ ଇଚ୍ଛା ଜୀବନ ବଞ୍ଚାଇବାକୁ ଇଞ୍ଜେକ୍ସନ ଟିଏ ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.