ଦେଶ ଉପରେ ଫୋକସ୍‌: କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧/୪: ଦେଶରେ ଲଗାତାର କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କରୋନା ସଂକ୍ରମଣକୁ ଚେକ୍‌ ଦେବାକୁ ଏବଂ ଚିକିତ୍ସାକୁ ବଳ ଦେବାକୁ ପୁରି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏବେ ରେମଡେସିଭିର ରପ୍ତାନୀ ଉପରେ ସରକାର ରୋକ ଲଗାଇଛନ୍ତି। ଭାରତରେ କୋଭିଡ ସ୍ଥିତି ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦେଶରେ କରୋନା ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ରେମଡେସିଭିର ରପ୍ତାନୀ ବନ୍ଦ ରହିବ।

ଗତ କିଛି ଦିନ ହେଲା ଜୀବନରକ୍ଷକ ବୋଲି କୁହାଯାଉଥିବା ରେମଡେସିଭିର ଇଞ୍ଜେକ୍ସନ କମ୍‌ ଥିବା ସୂଚନା ମିଳିଥିଲା। ଏହି ପରିସ୍ଥିତିରେ ସରକାରଙ୍କ ନିଷ୍ପତ୍ତି ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ସରକାରଙ୍କ ଅନୁସାରେ ଦେଶରେ ୧୧ ଲକ୍ଷରୁ ଅଧିକ ଆକ୍ଟିଭ୍‌ କରୋନା ମାମଲା ରହିଛି। ଏହାକୁ ନେଇ ରେମଡେସିଭିର ଇଞ୍ଜେକ୍ସନ ଚାହିଦା ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହାର ଚାହିଦା ଆହୁରି ବଢ଼ିବ। ଭବିଷ୍ୟତରେ ଆସିବାକୁ ଥିବା ଚ୍ୟାଲେଞ୍ଜକୁ ଦେଖି ସରକାର ରେମଡେସିଭିର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି।

ଦେଶରେ କରୋନା ସଂକ୍ରମଣ ହ୍ରାସ ନହେବା ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଅନେକ କମ୍ପାନୀ ଏବେ ଏହି ଇଞ୍ଜେକ୍ସନ ଉତ୍ପାଦନରେ ଲାଗିପଡ଼ିଛନ୍ତି। ପ୍ରତିଦିନ ୩୮.୮୦ ୟୁନିଟ୍‌ସ୍‌ ରେମଡେସିଭିର ଉତ୍ପାଦନ ହେଉଛି। ତେଣୁ ଏହାର ରପ୍ତାନୀ ଉପରେ ସରକାର ପ୍ରତିବନ୍ଧ ଲଗାଇଛନ୍ତି। କେବଳ ସେତିକି ନୁହେଁ ରେମଡେସିଭିରର କଳାବଜାରୀକୁ ରୋକିବା ତଥା ଉପଲବ୍ଧତା ବଢ଼ାଇବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଣିକି ରେମଡେସିଭିର ନିର୍ମାତା ନିଜ ନିଜ ଓ୍ବେବସାଇଟ୍‌ରେ କେତେ ଇଞ୍ଜେକ୍ସନ ରହିଛି ସେନେଇ ଉଲ୍ଲେଖ କରାଇବେ। ଏହାସହ ବିତୀରଣକାରୀଙ୍କ ବିବରଣୀ ରହିବ। ଏହା ସହ ଡ୍ରଗ ଇନ୍ସପେକ୍ଟର ମାନେ ଇଞ୍ଜେକ୍ସନ କଳାବଜାରୀ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ରେମଡେସିଭିର ଇଞ୍ଜେକ୍ସନ ଉତ୍ପାଦନ ବୃଦ୍ଧି କରାଇବା ସହ ଘରୋଇ ଏବଂ ସରକାରୀ ହସ୍ପିଟାଲ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ସରକାର ଜୋର ଦେଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.