ଫାସଟାଗ୍ ନଥିବା ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି - ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲେ ସରକାର

Published By : Prameya-News7 Bureau | November 29, 2019 IST

ଭୁବନେଶ୍ୱର ୨୯।୧୧ - ଫାସଟାଗ୍ ନଥିବା ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି । ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲେ ସରକାର । ନ୍ୟାସନାଲ ହାଇୱେର ଟୋଲ୍ ପ୍ଲାଜାରେ ଡିସେମ୍ୱର ୧ ରୁ ଫାସଟାଗ୍ ବାଧ୍ୟତାମୂଳକ କରାଯାଇଥିଲ। । କେନ୍ଦ୍ର ସରକାର ଏଥିରେ ୧୫ ଦିନର ରିହାତି ପ୍ରଦାନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଡିସେମ୍ୱର ୧୫ ତାରିଖରୁ ଟୋଲ୍ ପ୍ଲାଜା ଦେଇ ଯାଉଥିବା ୪ ଚକିଆ ଓ ତାଠୁ ଅଧିକ ଚକ ଥିବା ଗାଡି ପାଇଁ ଫାସଟାଗ୍ ବାଧ୍ୟତାମୂଳକ ହେବ । ଆଜି ପରିବହନ ଏବଂ ରାଷ୍ଟ୍ରୀୟ ରାଜମାର୍ଗ ମନ୍ତ୍ରାଳୟ ଏହି ସମ୍ୱନ୍ଧରେ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ଡିସେମ୍ୱର ୧୫ ପରେ ଫାସଟାଗ୍ ଥିବା ଲେନରୁ ଯଦି ବିନା ଫାସଟାଗ୍ ଥିବା ଗାଡ଼ି ଯାଏ ତେବେ ତାଙ୍କୁ ଦ୍ୱିଗୁଣିତ ଟୋଲ୍ ଦେବାକୁ ପଡ଼ିବ । ଡିସେମ୍ୱର ୧୫ ପର୍ଯ୍ୟନ୍ତ ଏନ୍.ଏଚ୍.ଏ.ଆଇ ତରଫରୁ ଏହା ମାଗଣାରେ ବଣ୍ଟା ଯାଉଛି ।

ଫାଷ୍ଟ୍ୟାଗ ଏକ ଉପକରଣ ଯାହା ମାଧ୍ୟମରେ ଆପଣ ଟୋଲ ପ୍ଲାଜାରେ ନ ଅଟକି ଟୋଲ ଟ୍ୟାକ୍ସ ଦେଇପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଗାଡିରେ ଫାଷ୍ଟ୍ୟାଗ ଲଗାଇବାକୁ ହେବ । ଗାଡିର ୱିଣ୍ଡସ୍କ୍ରିନରେ ଏହାକୁ ଲଗାଯାଏ । ଏଥିରେ ରେଡିଓ ଫ୍ରିକ୍ବେନ୍ସି ଆଡେଣ୍ଟିଫିକେସନ ମାନେ RFID  ଲଗାଯାଇଥାଏ । ଯେମିତି ଆପଣଙ୍କ ଗାଡି ଟୋଲପ୍ଲାଜା ନିକଟରେ ପହଞ୍ଚିବ ସେତେବେଳେ ଟୋଲ ପ୍ଲାଜାରେ ଥିବା ସେନସର ଗାଡିର ୱିଣ୍ଡସ୍କ୍ରିନରେ ଲାଗିଥିବା ଫାଷ୍ଟ୍ୟାଗ ସମ୍ପର୍କରେ ଆସିବାମାତ୍ରେ ଟୋଲ ପ୍ଲାଜାରେ ଦେବାକୁ ଥିବା ଦେୟ ଫାଷ୍ଟ୍ୟାଗ ଆକାଉଣ୍ଟରୁ କଟିଯିବ । ଫାଷ୍ଟ୍ୟାଗର ଏକ ପ୍ରି ପେଡ ଆକାଉଣ୍ଟ ରହିଥାଏ, ଯେମିତି ଆପଣ ମୋବାଇଲ ଆକାଉଣ୍ଟ ରିଚାର୍ଜ କରନ୍ତି । ସେମିତି ଫାଷ୍ଟ୍ୟାଗ ଆକାଉଣ୍ଟକୁ ରିଚାର୍ଜ କରିବାକୁ ପଡିବ । ଆପଣ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଇଣ୍ଟରନେଟ ବ୍ୟାଙ୍କି ମାଧ୍ୟମରେ ଅନଲାଇନରେ ଫାଷ୍ଟ୍ୟାଗ ଆକାଉଣ୍ଟ ରିଚାର୍ଜ କରିପାରିବେ । ଫାଷ୍ଟ୍ୟାଗର ଆକାଉଣ୍ଟରେ ଅତି କମରେ ଶହେ ଟଙ୍କା ଓ ସର୍ବାଧିକ ୧ ଲକ୍ଷ ଟଙ୍କା ରିଚାର୍ଜ କରିପାରିବେ । ଆପଣ ଏହି ଫାଷ୍ଟ୍ୟାଗକୁ ଅନ୍ ଲାଇନ୍ ଓ ଅଫ୍ ଲାଇନରେ ବନେଇ ପାରିବେ । ଆପଣ ଯେକୌଣସି ପେଟ୍ରୋଲ ପମ୍ପରୁ ଅଫ୍ ଲାଇନରେ ଫାଷ୍ଟ୍ଯାଗ ଆକାଉଣ୍ଟ ବନାଇ ପାରିବେ । ଅନ୍ ଲାଇନ୍ ଆକାଉଣ୍ଟ ପାଇଁ ଅନେକ ବ୍ୟାଙ୍କ ଏହି ସୁବିଧା ଯୋଗାଉଛନ୍ତି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.