ଦିଲ୍ଲୀ ହାଇକୋର୍ଟରୁ ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି, ଦେବାଳିଆ କାର୍ଯ୍ୟାନୁଷ୍ଠାନ ବିରୋଧରେ ଲାଗିଲା ରୋକ୍

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୮ :  ଅନୀଲ ଅମ୍ବାନୀଙ୍କ ବିରୋଧରେ ଜାରି ଇନସଲଭାନ୍ସି ଏଣ୍ଡ ବ୍ୟାଙ୍କରପସି କୋଡ (ଆଇବିସି) ପ୍ରକ୍ରିୟା ଉପରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ରହିତାଦେଶ ଜାରି କରିଛନ୍ତି। ରିଲାଏନ୍ସ କମ୍ୟୁନିକେସନ ଲିମିଟେଡ (ଆରକମ) ଓ ରିଲାଏନ୍ସ ଇନଫ୍ରାଟେଲ ଲିମିଟେଡ (ଆରଆଇଟିଏଲ) ଋଣ ସମ୍ପର୍କିତ ଏହି ମାମଲାରେ ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟର ଥିଲେ।

୨୦୧୬ ମସିହାରେ ଆରକମ ଓ ଆରଆଇଟିଏଲ ଏସବିଆଇଙ୍କ ଠାରୁ ଯଥାକ୍ରମେ ୫୬୫ ଓ ୬୩୫ କୋଟି ଏହିପରି ମୋଟ ୧୨ଶହ କୋଟି ଟଙ୍କା ଋଣ ନେଇଥିଲେ। ଏହି ଋଣ ଟଙ୍କା ଆଦାୟ ହୋଇ ନ ପାରିବାରୁ ଏସବିଆଇ ମୁମ୍ବାଇ ବ୍ୟାଙ୍କ ରପସି ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଟ୍ରିବ୍ୟୁନାଲ ଋଣ ରାଶି ଆଦାୟ ନିମନ୍ତେ ଜଣେ ଅନ୍ତରୀଣ ରିଜଲ୍ୟୁସନ ପ୍ରଫେସନାଲଙ୍କ ନିଯୁକ୍ତି ଲାଗି ଆଦେଶ ଦେଇଥିଲେ।

ଟ୍ରିବ୍ୟୁନାଲଙ୍କ ଆଦେଶ ବିରୋଧରେ ଅମ୍ବାନୀ ଦିଲ୍ଲୀ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ କୋର୍ଟ ଇନସଲଭେନ୍ସି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଛନ୍ତି। ତେବେ ଏହା ସହ କୋର୍ଟ ଅମ୍ବାନୀଙ୍କୁ ତାଙ୍କ ସମ୍ପତ୍ତି ଅଥବା ଆଇନଗତ ଅଧିକାରକୁ ସ୍ଥାନାନ୍ତରଣ, ପରିବର୍ତ୍ତନ ଅଥବା ହସ୍ତାନ୍ତରଣ ନ କରିବା ଲାଗି ମଧ୍ୟ ରୋକ ଲଗାଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୬ ତାରିଖରେ ହେବ।

ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଅଗଷ୍ଟ ୨୦ ତାରିଖ ଦିନ ବ୍ୟାଙ୍କରପସି ଆଇନର ବ୍ୟାକ୍ତିଗତ  ଗ୍ୟାରେଣ୍ଟି ଧାରାରେ ଅମ୍ବାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଅମ୍ବାନୀ ତାଙ୍କ ଆବେଦନରେ ଇନସଲଭେନ୍ସି ଏଣ୍ଡ ବ୍ୟାଙ୍କରପସି ବୋର୍ଡ ଅଫ ଇଣ୍ଡିଆ (ଆଇବିବିଆଇ)ଙ୍କ ବୈଧାନିକତା( ଇନସଲଭେନ୍ସି ରିଜଲ୍ୟୁସନ ପ୍ରୋସେସ୍ ଫର ପର୍ସନାଲ ଗ୍ୟାରେଣ୍ଟର୍ସ ଟୁ କର୍ପୋରେଟ ଡିବେଟର୍ସ) ରେଗୁଲେସନ ୨୦୧୯କୁ ଚାଲେଞ୍ଜ କରିଛନ୍ତି।

ଭିଡିଓ କନଫରେନସିଂ ମାଧ୍ୟମରେ ଦିଲ୍ଲୀ  ହାଇକୋର୍ଟଙ୍କ ବିପିନ ସାଙ୍ଗି ଓ ରଜନୀଶ ଭଟନାଗରଙ୍କ ଦ୍ୱିସଦସୀୟ ବେଞ୍ଚ ଆବେଦନର ଶୁଣାଣି କରିଥିଲେ। ଏଥିରେ ଇନସଲଭେନ୍ସି ଏଣ୍ଡ ବ୍ୟାଙ୍କ ରପସି କୋଡ (ଆଇବିସି) ଅନୁସାରେ ଇନସଲଭେନ୍ସି ରିଜଲ୍ୟୁସନ ପ୍ରୋସେସ୍ (ଆଇଆରପି) ଉପରେ ରହିତାଦେଶ ଜାରି କରିଛନ୍ତି। ଶୁଣାଣିରେ  କେନ୍ଦ୍ର ସରକାର ଓ ଆଇବିବିଆଇଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ଚେତନ ଶର୍ମା, କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ ଅକ୍ଷୟ ମକ୍ଷୀଜା ଏବଂ ଓକିଲ ମାଧବୀ ଦିବାନ ଆଦି ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.