ରିଲାଏନ୍ସ-ଫ୍ୟୁଚର ଚୁକ୍ତିରେ ବ୍ରେକ୍‌ ଦେଉଛି ଆମାଜନ୍‌, ଫାଇଦା ନେଇଯିବେ କି ଟାଟା ?

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୫/୪: ଗତବର୍ଷ ରିଟେଲ୍‌ ବଜାରରେ ଦବଦବା ବଢ଼ାଇବା ପାଇଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅନକେ ଗୁରୁତ୍ବପୂର୍ଣ୍ଣ ଡିଲ୍‌ କରିଥିଲା। ଏହି ସମୟରେ ଅନକେ ବିଦେଶୀ କମ୍ପାନୀ ରିଲାଏନ୍ସ ରିଟେଲ୍‌ରେ ନିବେଶ କରିଥିଲେ। ଏହା ସହ ରିଲାଏନ୍ସ ଫ୍ୟୁଚର ଗ୍ରୁପ୍‌କୁ ଅଧିଗ୍ରହଣ କରିବାକୁ ୨୪ ହଜାର କୋଟି ଟଙ୍କାର ଡିଲ୍‌ ମଧ୍ୟ କରିଥିଲା। କିନ୍ତୁ ଇ-କମର୍ସ କମ୍ପାନୀ ଆମାଜନ୍‌ ପକ୍ଷରୁ ଆପତ୍ତି ଉଠିବା ପରେ ଫ୍ୟୁଚର ଗ୍ରୁପ୍‌ ଚୁକ୍ତିକୁ ନେଇ ଅନିଶ୍ଚିତତା ଘନେଇେଛି।

ଏବେ ଏହି ଚୁକ୍ତିକୁ ନେଇ ଆଶା, ଆଶଙ୍କା ଲାଗି ରହିଛି। ଫ୍ୟୁଚର-ରିଲାଏନ୍ସ ଡିଲ୍‌କୁ ଆମାଜନ୍‌ ବାଧା ଦେଉଥିବା ବେଳେ ଏହାର ଫାଇଦା ଏବେ ଟାଟା ଗ୍ରୁପ୍‌କୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏମିତି ଅଟକଳ ପଛର କାରଣ କଣ ଥାଇପାରେ ଆସନ୍ତୁ ଜାଣିବା।  ନିକଟରେ ରିଲାଏନ୍ସ ରିଟେଲ୍‌ କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ବ୍ୟବସାୟକୁ କିଣିବା ଚୁକ୍ତି କରିବାର ଅବଧିକୁ ୬ ମାସ ବଢ଼ାଇ ଦେଇଛି। ଡିଲ୍‌ ପୂରା ହେବାର ସମୟ ୩୧ ମାର୍ଚ୍ଚ ୨୦୨୧ ଥିଲା , ଏବେ ଏହି ସମୟକୁ ବଢ଼ାଇ ୩୦ ସେପ୍ଟମ୍ବର ୨୦୨୧ କରାଯାଇଛି।

ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଡିଲ୍‌କୁ ସିସିଆଇ, ସେବି ଏବଂ ସେୟାର ବଜାରରୁ ମଞ୍ଜୁରୀ ମିଳିସାରିଛି। କିନ୍ତୁ କୋର୍ଟରେ ଆମାଜନ୍‌ର ଅପିଲ୍‌ ଯୋଗୁ ଡିଲ୍‌ରେ ବିଳମ୍ବ ହେଉଛି। ଏମିତି ଆକଳନ କରାଯାଉଛି ଯେ, ରିଲାଏନ୍ସ ଏବଂ ଫ୍ୟୁଚର ଗ୍ରୁପ୍‌ ଚୁକ୍ତି ପୂରା ହେବା ପୂର୍ବରୁ ଟାଟା ଗ୍ରୁପ୍‌ ନିଜର ବହୁ ପ୍ରତିକ୍ଷିତ ପ୍ଲାଟଫର୍ମ ସୁପର ଆପ୍‌କୁ ଲଞ୍ଚ କରିପାରେ। ଟାଟା ଗ୍ରୁପ୍‌ ନିଜର ବିଭିନ୍ନ ଖାଉଟି ବ୍ୟବସାୟକୁ ଏକା ସହିତ ଆଣିବା ପାଇଁ ଏହି ସୁପର ଆପ୍‌ ବିକଶିତ କରିଛି। ସୁପର ଆପ୍‌କୁ ଓମ୍ନିଚ୍ୟାନେଲ୍‌ ଡିଜିଟାଲ ପ୍ଲାଟଫର୍ମ କରିବାକୁ କମ୍ପାନୀ ଯୋଜନା ରଖିଛି। ଟାଟା ଗ୍ରୁପ୍‌ର ଏହି ନିଷ୍ପତ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରତି ଚ୍ୟାଲେଞ୍ଜ ବୃଦ୍ଧି ପାଇବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.