ସରିଲା ରିହାତି ସମୟ, ୧ ଜୁଲାଇରୁ ବଦଳିବ ବ୍ୟାଙ୍କ ନିୟମ, ATM ଉଠାଣ ଓ ସର୍ବନିମ୍ନ ଜମା ହ୍ରାସ ହେଲେ ଲାଗିବ ଜରିମାନା
28/06/2020 at 6:18 PM

ନୂଆଦିଲ୍ଲୀ ୨୮।୬: ଜୁଲାଇ ମାସରୁ ଆପଣଙ୍କ ବ୍ୟାଙ୍କ ଖାତା ଓ ଏଟିଏମ ଉଠାଣ ନିୟମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ୧ ଜୁଲାରୁ ବ୍ୟାଙ୍କମାନେ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟ ନିୟମ କଡାକଡି କରିବେ। ଆପଣଙ୍କ ସଞ୍ଚୟ ଓ ବ୍ୟାଙ୍କ ସମ୍ପର୍କିତ ନିୟମରେ ହେବାକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଜାଣିବା ଆପଣଙ୍କ ଲାଗି ନିଶ୍ଚିତ ଦରକାର। ତେବେ ଆସନ୍ତୁ ଜାଣିବା ୧ ଜୁଲାଇ ୨୦୨୦ରୁ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ।
ଗତ ମାର୍ଚ୍ଚ ମାସରେ ସରକାର ଦେଶରେ କରୋନା ଲକଡାଉନ କରିଥିଲେ। ସେତେବେଳେ ଲୋକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏଟିଏମରୁ ଟଙ୍କା ଉଠାଣ ପାଇଁ ନିଆ ଯାଉଥିବା ସେବା ଶୁଳ୍କ ପ୍ରତ୍ୟାହାର କରିନେଇଥିଲେ। ମନ୍ତ୍ରାଳୟଙ୍କ ନିର୍ଦ୍ଦେଶାନୁସାରେ ଏଟିଏମ ଉଠାଣ ଲାଗି ଗ୍ରାହକଙ୍କୁ ପଡୁଥିବା ଦେୟ ରିହାତି ହୋଇଥିଲା। ଏଥିରେ ଗ୍ରାହକ ଯେ କୌଣସି ବ୍ୟାଙ୍କର ଏଟିଏମରୁ ଯେତେ ଇଛା ସେତେ ନଗଦ ଉଠାଣ କରିପାରୁଥିଲେ। ତେବେ ଏହି ନିୟମ କେବଳ ୩ମାସ ପାଇଁ କୋହଳ ହୋଇଥିଲା। ଯାହା ଏବେ ୩୦ ଜୁନରେ ଶେଷ ହେବ। ଏଣୁ ଏଟିଏମ୍ରୁ ଏବେ କ୍ୟାସ ଉଠାଣ ସୀମା ସମେତ ଏଥିଲାଗି ସର୍ଭିସ ଚାର୍ଜ ମଧ୍ୟ ପୂର୍ବ ଭଳି ଆକାଉଣ୍ଟରୁ କଟିବ।
ସେହିପରି କରୋନା କଟକଣାରେ ବ୍ୟାଙ୍କମାନେ ସେମାନଙ୍କର ସର୍ବନିମ୍ନ ଜମା ନେଇ କଟକଣା ମଧ୍ୟ କୋହଳ କରିଦେଇଥିଲେ। ଏଣୁ ଲୋକେ ଆକାଉଣ୍ଟରୁ ଶେଷ ରାଶି ଉଠାଇଲେ ମଧ୍ୟ ସେମାନଙ୍କ ଲାଗି ଜରିମାନା ଲାଗୁ ହେଉନଥିଲା। ହେଲେ ଏବେ ୧ ଜୁଲାଇରୁ ବ୍ୟାଙ୍କମାନେ ସଞ୍ଚୟ ଜମା ଖାତାର ଶେଷ ରାଶି ଦେଖିବା ଆରମ୍ଭ କରିବା ସହ ନ୍ୟୁନତମ ଜମା ରାଶି ନଥିଲେ ଜରିମାନା ଲାଗୁ କରିପାରିବେ।
ସେହିପରି ବ୍ୟାଙ୍କମାନେ ଶୁଧହାରରେ ୦.୫୦ ପ୍ରତିଶତ ହ୍ରାସ କରିଛନ୍ତି। ଏବେ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଜମା ଉପରେ ବ୍ୟାଙ୍କମାନେ ୩.୨୫ ପ୍ରତିଶତ ଦେଉଛନ୍ତି। ଏହି ନୂଆ ସୁଧହାର ମଧ୍ୟ ୧ ଜୁଲାଇରୁ ଲାଗୁ ହେବାକୁ ଯାଉଛି। ଜୁନ ୩୦ ତାରିଖ ପରେ ଅଟଳ ପେନସନ୍ ଯୋଜନାରେ ପୁଣି ଅଟୋ ଡେବିଟ୍ ବ୍ୟବସ୍ଥା ଲାଗୁ ହେବ। ୧୮ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ସାମାଜିକ ସୁରକ୍ଷା ଲାଗି ସରକାର କରିଥିବା ଯୋଜନାରେ ଲୋକଙ୍କୁ ମାସିକ ୧୦୦୦ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ର ପ୍ରାବଧାନ ରହିଛି।