ନେପାଳର ନୂଆ ମାନଚିତ୍ର ପାଇଁ ବିଗୁଡୁଛି ଭାରତ ସହ ସଂପର୍କ : ଭାରତରେ ରହୁଥିବା ନେପାଳି କହିଲେ, ଏଥିରେ ଚୀନ୍‌ର ଭୂମିକା ...

Published By : Prameya-News7 Bureau | June 01, 2020 IST

ଝାରସୁଗୁଡା୧/୬: ନେପାଳ ଏବଂ ଭାରତ ମଧ୍ୟରେ ଥିବା ସଂପର୍କକୁ ନେଇ ଉଠିଛି ପ୍ରଶ୍ନ।ଗତକାଲି ନେପାଳ ସରକାର ଭାରତର ୩ଟି ଅଞ୍ଚଳକୁ ମିଶାଇ ଏକ ନୂଆ ମାନଚିତ୍ର ପାର୍ଲାମେଣ୍ଟରେ ଆଗତ କରିଛି। ଏହା ପରେ ଭାରତ ଏବଂ ନେପାଳ ମଧ୍ୟରେ ଥିବା ସଂପର୍କକୁ ନେଇ ଉଠିଛି ଅନେକ ପ୍ରଶ୍ନ | ଏତିକି ବେଳେ ଝାରସୁଗୁଡାରେ ରହିଥିବା ସ୍ଵତନ୍ତ୍ର ଗୋର୍ଖା ବାଟାଲିଅନରେ କାର୍ଯ୍ୟକାରୀ ଭାରତ ଓ ନେପାଳ ସହ ସଂଯୋଗ ସ୍ଥାପନ କରିବାରେ ମୁଖ୍ୟ ଭୂମିକା  ନିଭାଇଥିବା ନେପାଳୀମାନେ ଏଭଳି ସ୍ଥିତି ଉପୁଜିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |

ନେପାଳ ବାସିନ୍ଦା ଭାରି ସାହସୀ  ଏବଂ ବିଶ୍ବାସୀ ମଧ୍ୟ। ସେଥିପାଇଁ ୧୯୫୯ ମସିହାରେ ଝାରସୁଗୁଡାରେ ତତ୍‌କାଳୀନ ସରକାରଙ୍କ ଦ୍ବାରା ଗଠନ ହୋଇଥିବା ସ୍ଵତନ୍ତ୍ର ଗୋର୍ଖା ବାହିନୀ  ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହୋଇଥିଲା ଓଏସଏପି ୨ୟ ବାଟାଲିୟନ୍| ୧୯୬୦ ମସିହା ପରେ ଶହ ଶହ ସଂଖ୍ୟାରେ ନେପାଳୀ ଲୋକ ଯବାନରେ ଭର୍ତ୍ତି ହୋଇଥିଲେ | ଝାରସୁଗୁଡାର ୨ୟ ବାଟାଲିୟନରେ ୨  କମ୍ପାନୀ ଗୋର୍ଖା ଯବାନ ରହିଥିବା ବେଳେ ଏହା ଓଡିଶାର ଏକମାତ୍ର ଓ ଭାରତରେ ଦ୍ଵିତୀୟ  ଗୋର୍ଖା ବାହିନୀ | ବନ୍ୟା ହେଉ କି ବାତ୍ୟା ବା ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ସେଠାରେ ନିଶ୍ଚିତରେ ସରକାର ଗୋର୍ଖା ବାହିନୀ ଯବାନଙ୍କୁ ପଠାଇ ଥାଆନ୍ତି |

ସେହି ଯବାନମାନେ ଓଡ଼ିଶାରେ ରହି ଆମ ପାଣି ପବନ ସହ ତାଳ ମିଳାଇ ବିଶ୍ବାସର ସହ ନିଜ କାର୍ଯ୍ୟକୁ ସମାପନ କରିଥାନ୍ତି | ଏତିକି ବେଳେ ହଠାତ୍ ନେପାଳ ଭାରତର ୩ଟି ଅଞ୍ଚଳକୁ ମିଶାଇ ଏକ ନୂଆ ମାନଚିତ୍ର ସାମ୍ନାକୁ ଆଣିଥିବା ଖବର ପାଇବା ପରେ ଝାରସୁଗୁଡାରେ ରହିଥିବା ନେପାଳୀ ଯବାନଙ୍କ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି | ସମସ୍ତଙ୍କ ଗୋଟିଏ କଥା ଖାଇବା, ପିଇବା ଓ ଅନ୍ୟ ସମସ୍ତ ସାମଗ୍ରୀ ଉପରେ ଭାରତ ଉପରେ ନିର୍ଭରଶୀଳ ନେପାଳ | ତେଣୁ ଭାରତ ସହ ଶତ୍ରୁତା ଆଚରଣ କଲେ ନେପାଳ ବାସୀ ହଇରାଣ ହେବେ | ନେପାଳ ଭାରତକୁ ନାଲି ଆଖୀ ଦେଖାଇବା ପଛରେ ଚୀନର ହାତ ରହିଥାଇ ପାରେ ଝାରସୁଗୁଡ଼ାରେ ଥିବା ନେପାଳିମାନେ କହିଛନ୍ତି।

ଝାରସୁଗୁଡାରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଜନତା ନେପାଳରୁ ଆସି ରହୁଛନ୍ତି | ସେମାନେ ଝାରସୁଗୁଡା ମାଟି ପାଣି ପବନ ସହ ଜଡିତ ରହି ,ଏ ମାଟିର ସୁରକ୍ଷା ସହ ଦେଶର ବିଭିନ୍ନ ପ୍ରାନ୍ତର ସୁରକ୍ଷା ଦାୟିତ୍ବରେ ରହୁଛନ୍ତି| ଏତିକିବେଳେ ନେପାଳ ସରକାରଙ୍କ ଭାରତ ବିରୋଧୀ ମନୋଭାବ ଯୋଗୁଁ ସ୍ଥାନୀୟ ନେପାଳୀଙ୍କ ସହ କୌଣସି ଖରାପ ସଂପର୍କ ହେବନାହିଁ ବୋଲି ତାଙ୍କ ସହ ୬୦ ବର୍ଷରୁ ମିଳିମିଶି ରହୁଥିବା ଲୋକେ କହୁଥିବା ବେଳେ ବୁଦ୍ଧିଜୀବୀ କିନ୍ତୁ କହୁଛନ୍ତି ଦୁଇ ଦେଶର ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ସମାଧାନ କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.