ରିୟାଙ୍କୁ ଗିରଫ କରିବ ସିବିଆଇ ! କାଲି ୧୦ ଘଣ୍ଟା ଜେରା ପରେ ଆଜି ୨ ପର୍ଯ୍ୟାୟରେ ଡିଆରଡିଓ ଅଫିସରେ ଜେରା କରୁଛି ସିବିଆଇ ଟିମ୍

Published By : Prameya-News7 Bureau | August 29, 2020 IST

ମୁମ୍ବାଇ, ୨୯|୦୮:   ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ ଜେରା କରୁଛି । ଶୁକ୍ରବାର ସିବିଆଇ ପକ୍ଷରୁ ରିୟାଙ୍କୁ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା । ଶନିବାର ପୁଣି ତାଙ୍କୁ ଜେରା କରୁଛି । ଜେରା ଏବେସୁଦ୍ଧା ସରିନାହିଁ । ତେବେ ଏହି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା କରାଯାଉଛି । ଅତିଶୀଘ୍ର ରିୟା ଗିରଫ ହୋଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

ରିୟା ଚକ୍ରବର୍ତ୍ତୀଙ୍କୁ ହିଁ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ବୋଲି ଚିତ୍ରଣ କରାଯାଉଛି । କାରଣ ପୋଲିସ ଏବଂ ସିବିଆଇ ହାତରେ ଯେଉଁ ସବୁ ସୁରାକ ଲାଗିଛି ତାହା ରିୟାଙ୍କ ବିରୋଧରେ ଯାଉଛି । ସୁଶାନ୍ତଙ୍କ ଆକାଉଣ୍ଟରୁ ଅର୍ଥ ନେଣଦେଣ ହେଉ ବା ମହେଶ ଭଟ୍ଟଙ୍କ ସହ ହ୍ୱାଟସଆପ୍ ଚାଟ୍ ଭାଇରାଲ, ସବୁ ପ୍ରମାଣ ରିୟାଙ୍କ ବିରୋଧରେ ଯାଉଛି । ଯାହାକୁ ନେଇ ସିବିଆଇ କେଉଁ ମୁହୂର୍ତ୍ତରେ ମଧ୍ୟ ରିୟାଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି ।

ଶୁକ୍ରବାର ୧୦ ଘଣ୍ଟାର ଜେରା ପରେ ଶନିବାର ମଧ୍ୟ ଡିଆରଡିଓ କାର୍ଯ୍ୟାଳୟରେ ଦୁଇଟି ପର୍ଯାୟରେ ଜେରା କରାଯାଉଛି । ମିଡିଆ ରିପୋର୍ଟ ଅନୁସାରେ ରିୟାଙ୍କ ପଚରାଉଚରା ପାଇଁ ସିବିଆଇ ଅନେକ ପ୍ରଶ୍ନ ପ୍ରସ୍ତୁତ କରିଥିଲା । ସୁଶାନ୍ତଙ୍କ ସହ ରିୟାଙ୍କ କେବେ ଦେଖା ସାକ୍ଷାତ ହେଲା କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଏହି ସବୁ ରିୟାଙ୍କୁ ପଚରାଯାଇଛି । ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା  ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା ବାବଦରେ ମଧ୍ୟ ଅନେକ ଗୁଡେଇତୁଡେଇ ପ୍ରଶ୍ନ କରିଛି ସିବିଆଇ ।

ସିବିଆଇ ନିଜସ୍ୱ ଏକ ଷ୍ଟ୍ରାଟେଜି ହିସାବରେ କାମ କରିଥାଏ । ଏପରିକି ଜେରା ମଧ୍ୟ କରିଥାଏ । ଲାଗାତର ଜେରା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥାଏ । ଯାହାର ଅନେକ ନଜିର ରହିଛି । ରିୟାଙ୍କ କ୍ଷେତ୍ରରେ ମଧ୍ୟ ଏପରି ହେବା ନେଇ ଆଶଙ୍କା ରହିଛି । କାରଣ ସିବିଆଇ ଅନେକ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥାଏ ଓ ଗିରଫ କରାଯାଇଥିବା ହଠାତ ସୂଚନା ଦେଇଥାଏ । ନିଶ୍ଚିତ ଭାବେ ସିବିଆଇ ହାତରେ କୌଣସି ବଲିଷ୍ଠ ପ୍ରମାଣ ଲାଗିଛି । ତେଣୁ ଶୁକ୍ରବାର ଦୀର୍ଘ ୧୦ ଘଣ୍ଟା ଧରି ଗୁଡେଇତୁଡେଇ ରିୟାଙ୍କୁ ପ୍ରଶ୍ନ କରିଥିଲା । ଶନିବାର ମଧ୍ୟ ତାଙ୍କୁ ଜେରା କରାଯାଉଛି । ବାରମ୍ବାର ଜେରା ପରେ ରିୟାଙ୍କୁ ଗିରଫ କରାଯିବ ନେଇ ଏକ ସଙ୍କେତ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.