ବିଦେଶୀ ହେଉ କି ଦେଶୀ କୁକର, ଘରେ ରଖିଲେ ରେଜିଷ୍ଟ୍ରେସନ ଜରୁରୀ, ଏମିତି କରିବେ ଆବେଦନ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୯/୦୯: ଭାରତ ଭଳି ଜନବହୁଳ ଦେଶରେ ଦୈନିକ କିଛି ନା କିଛି ନୂଆ ନିୟମର ଆବଶ୍ୟକତା ପଡ଼େ । ସେହିଭଳି ଏକ ନୂଆ ଆଇନ୍‌ ଆସିଛି। ଆପଣ କୁକୁର ରଖିବାକୁ ଯଦି ଭଲପାଆନ୍ତି କିମ୍ବା ପୋଷା କୁକୁର ଆପଣଙ୍କ ପାଖରେ ଅଛି ତେବେ ଏହି ନିୟମ ଜାଣିବା ଜରୁରୀ । କିନ୍ତୁ ଏହି ନିୟମ କେବଳ ପୂର୍ବ ଦିଲ୍ଲୀରେ ବାସ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହେବ । ଏହି ସ୍ଥାନରେ ରହୁଥିବା ଲୋକେ ନିଜ ପାଖରେ କୁକୁର ରଖିଥିଲେ ପୂର୍ବ ଦିଲ୍ଲୀ ନଗର ନିଗମ (ଇଡିଏମସି)ରେ ପଞ୍ଜିକରଣ କରାଇବା ଜରୁରୀ।

ସେଥିପାଇ ଇଡିଏମସି ଏକ ନୂଆ ପୋର୍ଟାଲର ଶୁଭାରମ୍ଭ ମଧ୍ୟ କରିଛି । ନଗର ନିଗମ ପକ୍ଷରୁ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଲୋକେ ନିଜର ପୋଷା କୁକୁରର ରେଜିଷ୍ଟ୍ରେସନ କରିପାରିବେ । ଏହା ସହ ଆବେଦନ ସମୟରେ ଲୋକମାନେ ଧାର୍ଯ୍ୟ ଶୁଳ୍କ ଜମା କରିବେ। ଦକ୍ଷିଣ ନିଗମ ପକ୍ଷରୁ ଏହି ବ୍ୟବସ୍ଥା ୨୦୧୬ରେ ଆରମ୍ଭ କରାଯାଇଥିଲା। କିନ୍ତୁ ଲୋକମାନେ ଏଥିପ୍ରତି ଅଧିକ ରୁଚି ଦେଖାଇନଥିଲେ।

ଅନ୍ୟପଟେ ଇଡିଏମସି ପୋଷା କୁକୁରଙ୍କ ପଞ୍ଜିକରଣ ନକଲେ ନାଗରିକଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି । ଦୁଇ ମାସ ମଧ୍ୟରେ ପଞ୍ଜିକରଣ କରାଇବାକୁ ଲୋକମାନଙ୍କୁ ଅପିଲ କରାଯାଇଛି। ଯଦି ଏହାର ପାଳନ କରାନଯାଏ ତେବେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଡିଏମସି ଆକ୍ଟ ଜରିଆରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଯେଉଁମାନେ ବୁଲା କୁକୁରଙ୍କୁ ପୋଷା କରି ରଖିଛନ୍ତି ସେମାନେ ମଧ୍ୟ ଏହି ନିୟମ ମାନିବେ। ଏପରି କରିବା ଦ୍ବାରା ପୋଷା କୁକୁର ମାଲିକଙ୍କ ଏକ ଡାଟା ବେସ୍‌ ତିଆରି ହେବ। ଏପରିକି କୁକୁରଙ୍କ ମଧ୍ୟରେ ହେଉଥିବା ଅବୈଧ ପ୍ରଜନନକୁ ନିୟନ୍ତ୍ରଣ କରିବା ସହ ସେମାନଙ୍କ ଟିକାକରଣ କାର୍ଯ୍ୟକ୍ରମ ଉପରେ ନଜର ରଖିହେବ ବୋଲି ଇଡିଏମସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.