ଲଘୁଚାପ ପ୍ରଭାବ : ଆହୁରି ୨୪ ଘଣ୍ଟା ବର୍ଷିବ, ଏହି ସବୁ ଜିଲ୍ଲାକୁ ରେଡ୍ ୱାଣ୍ଣିଂ ଜାରି

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର ୧୪|୮: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବ । ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଭାରତୀୟ ପାଣିପାଗ କେନ୍ଦ୍ର ଜାରି କରିଥିବା ସ୍ବତନ୍ତ୍ର ବୁଲେଟିନ୍ ଅନୁଯାୟୀ, ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଏସବୁ ଜିଲ୍ଲାରେ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଛି । ଅଧିକା ବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୭ଟି ଜିଲ୍ଲା ପାଇଁ ରେଡ଼୍ ଆଲର୍ଟ ଜାରି କରିଛି ।

ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ସମେତ ଅନୁଗୁଳ, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବାକୁ ଥିବାରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ସେହିପରି ମାଲକାନଗିରି, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ବର୍ଷା ସହିତ ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ବଙ୍ଗୋପସାଗର ଅଶାନ୍ତ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି ।  ଅନ୍ୟପଟେ  ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୩ ପ୍ରତିଶତକୁ କମି ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.