ଉଦ୍ଧାର ହେଲା ଦୁର୍ଲଭ ପ୍ରଜାତିର ସାପ: ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ଅଢେଇ କୋଟି ଟଙ୍କା, ୪ ଚୋରା ଚାଲାଣକାରୀ ଗିରଫ

Published By : Prameya-News7 Bureau | July 18, 2021 IST

ଲଖିମପୁର ୧୮/୦୭ : ଉତ୍ତର ପ୍ରଦେଶ ଲଖିମିପୁର ଖେରିରେ ଏକ ବିରଳ ପ୍ରଜାତିର ସାପ ଧରାପଡିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ମୈଲାନି ପୋଲିସ ଦୁର୍ଲଭ ପ୍ରଜାତିର ଦୁଇମୁଣ୍ଡିଆ ସାପ ସହ ଚାରିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ ଅଢେଇ କୋଟି ଟଙ୍କା ବୋଲି କୁହାଯାଉଛି। ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଚନ୍ଦ୍ରଭନ୍ ଯାଦବ କହିଛନ୍ତି ଯେ ସଂସାରପୁର ଥାନା ପ୍ରଭାରୀ ସତୀଶ ଚନ୍ଦ୍ର ଯାଦବଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବନବିଭାଗ ଟିମ ଗୋଲା-ଖୁଟର ରାସ୍ତା କାକୋରୀ ତିରାହ ଠାରେ ଏକ ଅଭିଯାନ ଆରମ୍ଭ କରିଥିଲେ ।

ଲାଲାପୁର ଗାଁର ଚାରିଜଣ ସନ୍ଦିଗ୍ଧଙ୍କୁ ଧରି ଖୋଜାଖୋଜି କରାଯାଇଥିଲା। ସେମାନେ କେଉଁଆଡେ ଯିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ। ସନ୍ଧାନ ସମୟରେ ସେମାନଙ୍କ ପାଖରୁ ଦୁଇ ମୁଣ୍ଡିଆ (ରେଡ ସାଣ୍ଡବୋଆ) ସାପ ଉଦ୍ଧାର କରାଯାଇଥିଲା। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଏବଂ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବହରାଇଚ ଏବଂ ଲଖିମପୁର ଜଙ୍ଗଲରେ ଥିବା ଦୁର୍ଲଭ ପ୍ରଜାତିର ସାପକୁ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଧରି ଚାଲାଣ କରୁଛନ୍ତି ।

ଇନ୍ସପେକ୍ଟର ଚନ୍ଦ୍ରଭାନ୍ ଯାଦବ କହିଛନ୍ତି ଯେ ଉଦ୍ଧାର ହୋଇଥିବା ମୂଲ୍ୟବାନ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ । ଦୁଇ ମୁଣ୍ଡ ବିଶିଷ୍ଟ ରେଡ ସାଣ୍ଡବୋଆ ସାପ ଜଙ୍ଗଲୀ ଅଞ୍ଚଳରେ ଦୁଇ ମୁହାଁ ସାପ ଭାବରେ ଜଣାଶୁଣା । ଅନ୍ତର୍ଜାତୀୟ ବଜାରରେ ଏହି ସାପର ମୂଲ୍ୟ କୋଟି କୋଟି ଟଙ୍କା । ଗିରଫ ଅଭିଯୁକ୍ତମାନେ ହେଲେ କାସିମ ଅଲି, ସଞ୍ଜୟ କୁମାର ବର୍ମା, ସର୍ବେଷ କୁମାର ଓ ମହେନ୍ଦ୍ର ବର୍ମା। ଏମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଯିବ ବୋଲି ଜଣାପଡ଼ିଛି ।

ଏହି ଚୋରା ଚାଲାଣକାରୀଙ୍କୁ ଧରିଥିବା ଦଳରେ ସାନସପୁର ଆଉଟପୋଷ୍ଟର ଦାୟିତ୍ୱରେ ଥିବା ସତୀଶ ଚନ୍ଦ୍ର ଯାଦବ, ଜଙ୍ଗଲ ନିରୀକ୍ଷକ ରାଜେନ୍ଦ୍ର ପ୍ରସାଦ ବର୍ମା, କନଷ୍ଟେବଳ ରାକେଶ କୁମାର ଯାଦବ, ବିଶାଲ ଗୌତମ, ବନ ରକ୍ଷକ ସାଗର କୁଶୱା ଏବଂ ରାମ ସିଂ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.