'ଲାଲ କିଲ୍ଲା ହିଂସାକାଣ୍ଡ ବିଜେପି କରିଛି, ପତାକା ଉଡାଇଥିବା ବ୍ୟକ୍ତି ବିଜେପି କାର୍ଯ୍ୟକର୍ତ୍ତା'-ଅରବିନ୍ଦ କେଜରୀଓ୍ବାଲ

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮/୦୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପୁଣି ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ଉତ୍ତର ପ୍ରଦେଶର ମେରଠ୍‌ରେ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜରିଓ୍ବାଲ କହିଛନ୍ତି, ‘ଲାଲ କିଲ୍ଲାରେ ଘଟିଥିବା ହିଂସାକାଣ୍ଡ ବିଜେପି ସରକାର ହିଁ କରିଛି । ଲାଲ କିଲ୍ଲା ଉପରେ ଚଢି ଯିଏ ପତାକା ଉଡାଇଥିଲା ସେ ମଧ୍ୟ ବଜେପି କାର୍ଯ୍ୟକର୍ତ୍ତା । ଯୋଜନା ବଦ୍ଧଭାବେ ବିଜେପି ସରକାର ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ବାଧ୍ୟ କରିଥିଲା ଏବଂ ଦିଲ୍ଲୀ ଆସିବା ପରେ ସେମାନଙ୍କୁ ଜେଲ୍‌ରେ ପୁରାଇବାକୁ ଯୋଜନା କରିଥିଲା’ ।

ଏହା ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କେଜରୀଓ୍ବାଲ କହିଛନ୍ତି, ‘ଦିଲ୍ଲୀର ୯ଟି ବଡ ବଡ ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଫାଇଲ ପଠାଇଥିଲେ । ପ୍ରଥମେ ଫାଇଲ କାମ କରିବା ପାଇଁ ଭଲ ବ୍ୟବହାର କରିଥିଲେ ଏବଂ ପରେ ଫାଇଲ କାମ କରିବା ପାଇଁ ଧମକ ମିଳିଥିଲା । କିନ୍ତୁ ଆମେ ସେମାନଙ୍କୁ ଜେଲ ତିଆରି କରାଇଦେଇନଥିଲୁ ।’

ଚାଷୀମାନେ ଯେବେଠାରୁ ଦିଲ୍ଲୀ ସୀମାରେ ଆସି ଆନ୍ଦୋଳନ ଆରମ୍ଭ କଲେଣି ସେବେଠାରୁ ଆପ୍‌ ସରକାର ସେମାନଙ୍କ ସେବାରେ ଲାଗିଛି ବୋଲି କେଜରୀଓ୍ବାଲ କହିଛନ୍ତି । ୩ ମାସରୁ ଉର୍ଦ୍ଧ୍ବ ହେବ ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଛନ୍ତି । ୭୦ ବର୍ଷ ହେଲା ଦେଶର ଚାଷୀମାନେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଚାଷୀମାନଙ୍କୁ କେବଳ​‌ ଧୋକା ଦିଆଯାଇଛି ।

ଧାରଣାରେ ବସିବାକୁ କାହାରିକୁ ଭଲ ଲାଗେନି ବୋଲି ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି । ଚାଷୀ ଆନ୍ଦୋଳନରେ ପ୍ରାୟ ୨୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । କେଜରୀଓ୍ବାଲ ସମସ୍ତ ରାଜନୈତିକ ଦଳଗୁଡିକୁ ଟାର୍ଗେଟ୍‌ କରି କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ପରେ ସେମାନଙ୍କ ଦେଖାମିଳିନଥାଏ । ଗତ ୨୫ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.