ଯେକୌଣସି ମୁହୂର୍ତ୍ତରେ ଦିଲ୍ଲୀ ଉପରେ ଆକ୍ରମଣ କରିପାରେ ଜୈସ : ଦିଲ୍ଲୀରେ ରେଡ ଆଲର୍ଟ ଜାରି
28/02/2019 at 2:55 PM

ଦିଲ୍ଲୀ ୨୮/୨ : ସର୍ଜିକାଲ ଷ୍ଟ୍ରାଇକ -୨ ପରେ ପାକିସ୍ତାନ ତରଫରୁ ପ୍ରତି ଆକ୍ରମଣ ସନ୍ଦେହରେ ଦିଲ୍ଲୀରେ ପୋଲିସ ରେଡ ଆଲର୍ଟ ଜାରି କରିଛି | ବିଶେଷକରି ଦିଲ୍ଲୀ ମେଟ୍ରୋ, ଦିଲ୍ଲୀ କେଣ୍ଟ ସମେତ ସମସ୍ତ ମହତ୍ଵପୁର୍ଣ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ସର୍ଜିକାଲ ଷ୍ଟ୍ରାଇକ ପରେ ବାଉଳା ହୋଇଯାଇଛି ପାକିସ୍ତାନ | ଫଳରେ ପାକିସ୍ତାନର ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଯେକୌଣସି ମୁହୂର୍ତ୍ତରେ ଦିଲ୍ଲୀ ସମେତ ଦେଶର ବଡ ବଡ ସହର ତଥା ସୀମାବର୍ତ୍ତୀ ଅଂଚଳରେ ଆତଙ୍କୀ ହମଲା କରିବାର ସମ୍ଭାବନା ରହିଛି ବୋଲି ପୋଲିସ ଏବଂ ସରକାର କହିଛନ୍ତି |

ଜୈସ ସଂଗଠନ ଭାରତରେ ରହୁଥିବା ତାର ସ୍ଲିପର ସେଲକୁ ସୂଚନା ଦେଇଛି ଯେ, ନିଜର ଶକ୍ତି ଏବଂ କୌଶଳ ପ୍ରୟୋଗ କରି ଯେକୌଣସି ପ୍ରକାରେ ଭାରତର କ୍ଷତି କରିପାରିବ | ଏହାକୁ ନଜରରେ ରଖି ରେଡ ଆଲର୍ଟ ଜାରି କରାଯାଇଛି | ପୋଲିସ ସ୍ଲିପର ସେଲର ଠିକଣା ଜାଣିବାକୁ କରିବାକୁ ଚେଷ୍ଟା କରୁଛି | ଦେଶରୁ ବାହାରକୁ ଯାଉଥିବା ତଥା ବାହାରୁ ଆସୁଥିବା ସବୁ ଫୋନ କଲ ଉପରେ ନଜର ରଖାଯାଉଛି | ମେଟ୍ରୋ ଷ୍ଟେସନଗୁଡିକରେ ସିଆରପିଏଫ ପୋଲିସର ବାଟାଲିୟନ ନିୟୋଜିତ କରାଯାଇଛି | ଷ୍ଟେସନରେ ଲୋକଙ୍କ ଲାପଟପ ମଧ୍ୟ ଯାଞ୍ଚ କରାଯାଉଛି |

ଜାମ୍ମୁ କାଶ୍ମୀରରେ ପରିସ୍ଥିତିକୁ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ଟର୍ମିନାଲ-୧ ଏବଂ ୨ରୁ ସଂଚାଳନ ହେଉଥିବା ବିମାନ ସେବା ପ୍ରଭାବିତ ହୋଇଛି | ଟର୍ମିନାଲ ୧ ଓ ୨ର ସମସ୍ତ ଉଡାଣ ରଦ୍ଦ କରିଦିଆଯାଇଛି | ପ୍ରାୟ ୪୭ ଘରୁଆ ବିମାନ ସେବା ରଦ୍ଦ କରାଯାଇଛି | ଏଥିରେ ଶ୍ରୀନଗର, ଜାମ୍ମୁ, ଲେହ, ଅମୃତସର, ଚଣ୍ଡୀଗଡ଼, ପଠାନକୋଟ, ସିମଲା, କାଙ୍ଗଡା, କୁଲ୍ଲୁ-ମନାଲି ଏବଂ ଅନ୍ୟ କେତେକ ଜାଗାକୁ ଯାଉଥିବା ସମସ୍ତ ଵାଣିଜ୍ୟକ ବିମାନ ସାମିଲ ଅଛି |
୪ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି | ଏଥିରେ ୨ଟି ଜାତୀୟ ଏବଂ ୨ଟି ଆନ୍ତର୍ଜାତିକ ବିମାନ ସାମିଲ ଅଛି | ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଯାତ୍ରୀଙ୍କ ସମସ୍ୟା କମ କରିବା ପାଇଁ ସମସ୍ତ ଏୟାରଲାଇନ୍ସ କମ୍ପାନୀ ଟ୍ୱିଟରରେ ଯାତ୍ରୀଙ୍କ ମୋବାଇଲକୁ ମେସେଜ ଯୋଗେ ସୂଚାଇ ଦେଇଥିଲେ | କିନ୍ତୁ ଅଧିକାଂଶ ଯାତ୍ରୀ ମେସେଜ ପଢିବା ପୂର୍ବରୁ ବିମାନବନ୍ଦରରେ ପହଂଚି ସାରିଥିଲେ | ବିମାନବନ୍ଦର ପହଂଚି ସାରିଥିବା ଯାତ୍ରୀ ଏନେଇ କ୍ଷୁବ୍ଧ ହୋଇଯାଇଥିଲେ |

ଏନେଇ ବିମାନବନ୍ଦରରେ କିଛି ସମୟ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା | ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ଏୟାରଲାଇନ୍ସ ଟଙ୍କା ଫେରସ୍ତ ତଥା କ୍ୟାନ୍ସଲେସନ ଚାର୍ଜ କାଟିବା ପାଇଁ ମଧ୍ୟ କହିଥିଲା | ଫଳରେ ଲୋକେ ଶାନ୍ତ ହୋଇଯାଇଥିଲେ | ଆଉ କିଛି ଲୋକ ଦେଶ ପାଇଁ ସବୁ କିଛି ସହିବାକୁ ରାଜି ଅଛନ୍ତି ବୋଲି କହି ଚାଲିଯାଇଥିଲେ |

ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ମଧ୍ୟ ଥିଲେ | ଏହି ସେନାଙ୍କୁ ଜାମ୍ମୁ କାଶ୍ମୀରରେ ଡ୍ୟୁଟିରେ ଯୋଗ ଦେବାକୁ ଥିଲା | କିନ୍ତୁ ବିମାନ ରଦ୍ଦ ହେବା ଯୋଗୁଁ ଏମାନେ ଚିନ୍ତିତ ହୋଇପଡିଥିଲେ | ଏହାପରେ ସେନା ନିଜ ଅଧିକାରୀଙ୍କୁ ସୂଚନା ଦେଇ ଟ୍ରେନ ଯୋଗେ ଜାମ୍ମୁ ଯାଇଥିଲେ | ସ୍ଥିତିରେ ସୁଧାର ଆସିବା ପାଇଁ ଆହୁରି ୨/୩ ଦିନ ଲାଗିପାରେ |
