ବର୍ଷା ବିତ୍ପାତ: ମୁମ୍ବାଇରେ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି

Published By : Prameya-News7 Bureau | July 18, 2021 IST

ମୁମ୍ବାଇ ୧୮/୦୭ : ମାୟାନଗରୀ ମୁମ୍ବାଇରେ ରାତି ସାରା ହୋଇଥିବା ପ୍ରବଳ ବର୍ଷା ହେତୁ ଘର ଭୁଶୁଡ଼ିବା ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ସେବା ଏବଂ ଟ୍ରାଫିକ୍ ମଧ୍ୟ ପ୍ରଭାବିତ ହୋଇଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇ ମ୍ୟୁନିସିପାଲିଟି କମିଶନର ଆଇଏସ ଚହଲଙ୍କ ସହ କଥା ହୋଇ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ), ମ୍ୟୁନିସିପାଲିଟି କର୍ମଚାରୀ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଠାକରେ ସନ୍ଧ୍ୟାରେ ଏକ ବୈଠକ ଡାକିଥିଲେ ।

ଅଧିକାରୀ ସୂଚନା ଦେଇଛନ୍ତି ଯେ ପଶ୍ଚିମ ରେଳବାଇ ଏବଂ ମଧ୍ୟ ରେଳବାଇ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଟ୍ରେନ ସେବା ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି ଏବଂ ଦୂରଗାମୀ ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି କିମ୍ବା ଅନ୍ୟ ଷ୍ଟେସନରୁ ପରିଚାଳିତ ହେଉଛି । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପାର୍ବତ୍ୟାଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ଏକ ପରିସରର କାନ୍ଥ ଭୁଶୁଡ଼ିବା ପରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ମୁମ୍ବାଇର ମାହୁଲ ଅଞ୍ଚଳର ବିଳମ୍ବିତ ରାତିରେ ଏକ ଗଛ ପଡିଯିବାରୁ ନିକଟସ୍ଥ ଏକ ଘରର କାନ୍ଥ ଭୁଶୁଡି ପଡିଥିଲା। ଏହି ଘଟଣାରେ ୭ ଜଣ ଆହତ ହୋଇଥିଲେ। ସେମାନଙ୍କୁ ନିକଟ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୁମ୍ବାଇର ବିକ୍ରୋଲି ଉପକଣ୍ଠରେ ରାତି ପ୍ରାୟ ସାଢେ ୨ଟା ସମୟରେ ପ୍ରବଳ ବର୍ଷା ହେତୁ ୬ଟି ଘର ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଅଧିକାରୀ କହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହ ଉପାନ୍ତ ସହର ଭଣ୍ଡୁପରେ ବନ ବିଭାଗ ପରିସରର କାନ୍ଥ ଭୁଶୁଡ଼ିବା ପରେ ୧୬ ବର୍ଷର ବାଳକର ମୃତ୍ୟୁ ହୋଇଛି।

ପାଣିପାଗ ବିଭାଗ ସହରର ବର୍ଷା ପୂର୍ବାନୁମାନକୁ ଅରେଞ୍ଜରୁ ରେଡ୍ ଆଲର୍ଟରେ ପରିବର୍ତ୍ତନ କରିଛି। ଆଇଏମଡି କହିଛି ଯେ ରବିବାର ସକାଳ ସାଢେ ୬ଟା ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୧୨ ଘଣ୍ଟା ମଧ୍ୟରେ ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଏଥିରୁ ଅନୁମାନ କରାଯାଉଛି ଯେ ମୁମ୍ବାଇରେ କେତେକ ସ୍ଥାନରେ 'ପ୍ରବଳରୁ ଅତି ପ୍ରବଳ' ବର୍ଷା ଏବଂ ବିଚ୍ଛିନ୍ନ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବ। IMD ଅନୁଯାୟୀ, ଅତ୍ୟଧିକ ବର୍ଷା ଅର୍ଥ ହେଲା ୨୪ ଘଣ୍ଟାରେ ୨୦୪.୫ ମିଲିମିଟରରୁ ଅଧିକ ଏବଂ ୧୧୫.୬ ମିଲିମିଟରରୁ ୨୦୪.୪ ମିଲିମିଟର ମଧ୍ୟରେ ବର୍ଷାକୁ ହିସାବକୁ ନିଆଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.