ସୁସ୍ଥ ହାର ବଢି ହେଲା ୮୦ ପ୍ରତିଶତ, ଆମେରିକାକୁ ପଛରେ ପକାଇ ଶୀର୍ଷରେ ଭାରତ
19/09/2020 at 3:39 PM

ନୂଆଦିଲ୍ଲୀ ୧୯।୦୯: ଭାରତରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢି ଚାଲିଛି। ହେଲେ ସନ୍ତୋଷର କଥା ଭାରତ ସୁସ୍ଥହାର ମାମଲାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଭାରତ କୋଭିଡ୍-୧୯ ରୋଗୀଙ୍କ ସୁସ୍ଥ ହେବା ମାମଲାରେ ଆମେରିକାକୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛି। ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଏ ପର୍ଯ୍ୟନ୍ତ ୪୨,୦୮,୪୩୧ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଭାରତରେ ଦୁନିଆର ସର୍ବାଧିକ ରୋଗୀ ସଂକ୍ରମୁକ୍ତ ହୋଇଛନ୍ତି। ଦେଶରେ ସଂକ୍ରମଣରୁ ସୁସ୍ଥ ହେବା ହାର ୮୦ ପ୍ରତିଶତ ପାଖାପାଖି ପହଞ୍ଚିଛି। ଅନ୍ୟପଟେ ସଂକ୍ରମଣରେ ମୃତ୍ୟୁହାର ୧.୬୧ ପ୍ରତିଶତକୁ ଖସି ଆସିଛି।
ସୁସ୍ଥ ହାର ୭୯.୨୮ ପ୍ରତିଶତ
ମନ୍ତ୍ରଣାଳୟ ଅନୁଯାୟୀ ଏବେ ଦୁନିଆରେ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ କେବଳ ୧୯ ପ୍ରତିଶତ ସଂଖ୍ୟା ଭାରତର। ଏହି କାରଣରୁ ଦେଶରେ ସୁସ୍ଥ ହାର ବୃଦ୍ଧି ଘଟି ୭୯.୨୮ ପ୍ରତିଶତରେ ପହଞ୍ଚିଛି। ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ନେତୃତ୍ଵରେ ଆକ୍ରାମକ ପ୍ରକ୍ରିୟାରେ ଯାଞ୍ଚ କରାଯାଇ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା, ତ୍ଵରିତ ରକ୍ଷଣାବେକ୍ଷଣ ଏବଂ ଉଚ୍ଚ ଗୁଣବତ୍ତା ସ୍ଵାସ୍ଥ୍ୟ ସେବା ଯୋଗାଇ ଆଦି କାରଣରୁ ଭାରତ ସୁସ୍ଥରେ ବୈଶ୍ଵିକ ଉପଲବ୍ଧି ହାସଲ କରିଛି। ଶନିବାର ସକାଳ ୮ଟାରେ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୯୫,୮୮୦ ଲୋକ କୋଭିଡ୍-୧୯ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶର ୧୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟରେ ସୁସ୍ଥ ହାର ୯୦ ପ୍ରତିଶତ ରହିଛି।