ଇନ୍ଦିରା ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର ସ୍ମୃତି ସାଇତି ଥିଲା ଫରାସୀ ଗ୍ଲେସିୟର, ୫୪ ବର୍ଷ ପରେ ମିଳିଲା ସମ୍ବାଦପତ୍ର

Published By : Prameya-News7 Bureau | July 14, 2020 IST

ଲଣ୍ଡନ: ପଶ୍ଚିମ ଇୟୁରୋପ ମୋଣ୍ଟବ୍ଲାଙ୍କ ପାର୍ବତ୍ୟମାଳାର ବୋସନ ଗ୍ଲାସିୟର ତରଳିବା ପରେ ସେଠାରୁ ମିଳିଥିବା ୧୯୬୬ ମସିହାର ଭାରତୀୟ ସମ୍ବାଦପତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ସବୁ ସମ୍ବାଦପତ୍ରରେ ହେଡଲାଇନ୍‌ ସ୍ପଷ୍ଟ ପଢି ହେଉଥିବା ବେଳେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରୂପେ ଇନ୍ଦିରା ଗାନ୍ଧି ନିର୍ବାଚିତ ହୋଇଥିବା ଖବର ଶିରୋନାମାରେ ଥିଲା। ପ୍ରାୟ ୫୪ ବର୍ଷ ପୂର୍ବେ ଏଠାରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହୁଏତ ଏହି ସବୁ ସମ୍ବାଦପତ୍ର ସେହି ବିମାନରେ ଯାତ୍ରା କରୁଥିବା କୌଣସି ଯାତ୍ରୀଙ୍କର ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଇନ୍ଦିରା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ଦିନର ସ୍ମୃତିକୁ ଗ୍ଲେସିୟର ଏତେ ବର୍ଷ ସାଇତି ରଖିଥିଲା ବୋଲି କୁହାଯାଇଛି। 

{"id":300421,"width":580,"height":382,"sizeSlug":"large"}

୨୪ ଜାନୁୟାରୀ ୧୯୬୬ରେ ଇୟୁରୋପର ସର୍ବୋଚ୍ଚ ଗିରି ଶିଖରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫରାସୀ ରିସୋର୍ଟ ଚାମୋନିକ୍ସର  କାଫେ ରେଷ୍ଟୁରାଣ୍ଟ ‘ ଲା କାବାନେ ଡୁ ସେରୋ’ ର ଟିମୋଥି ମୋଟିନ୍‌ ଗ୍ଲେସିୟରରୁ ଏହି ସମ୍ବାଦପତ୍ର ଗୋଛାକ ପାଇଥିଲେ। ଯାହା ସୁଖି ଯାଇଥିବା ବେଳେ ଏବେ ସ୍ପଷ୍ଟ ପଢି ହେଉଛି।  ଏୟାର ଇଣ୍ଡିଆ ବୋଇଂ ୭୦୭ ସେତେବେଳେ ଯୋଗାଯୋଗ ଜନିତ ତ୍ରୁଟି ଯୋଗୁ ପାର୍ବତ୍ୟମାଳା ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ସମସ୍ତ ୧୭୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

{"id":300424,"sizeSlug":"large"}

ମୋଟିନ୍‌ ସେଠାରୁ ପାଇଥିବା ସମ୍ବାଦପତ୍ରରେ ‘ନ୍ୟାସନାଲ ହେରଲଡ୍’, ଇକନୋମିକ୍ସ ଟାଇମ୍ସ ସମେତ ସେ ସମୟର ଏକ ଡଜନରୁ ଊର୍ଦ୍ଧ୍ୱ ସମ୍ବାଦପତ୍ର ରହିଛି। ଯାହା ଏବେ ତାଙ୍କ କାଫେକୁ  ଆସୁଥିବା ଲୋକଙ୍କ ଲାଗି ଆକର୍ଷଣର କେନ୍ଦ୍ର ପାଲଟିଛି।  ଦୁର୍ଘଟଣାର ପ୍ରାୟ ୬ ଦଶନ୍ଧୀ ପରେ ଗ୍ଲେସିୟରରେ ବରଫ ତରଳିଛି। ତେବେ ଏଠାରେ ବରଫ ତରଳିବାର ପ୍ରକ୍ରିୟା ଗତ ୨୦୧୨ ମସିହାରେ ଆରମ୍ଭ ହେବା ପରଠାରୁ ୧୯୬୬ ମସିହାର ଏହି ବିମାନ ସମ୍ପର୍କିତ ଅନେକ ସାମଗ୍ରୀ ମିଳିଲାଣି।

{"id":300439,"sizeSlug":"large"}

ପ୍ରଥମ ଥର ଗ୍ଲେସିୟର ଅଞ୍ଚଳରୁ ୨୦୧୨ ମସିହାରେ ଡିପ୍ଲୋମାଟିକ୍‌ ମେଲ ଷ୍ଟାମ୍ପ ଲଗା ଏକ ବୈଦେଶିକ ମନ୍ତ୍ରାଳୟଙ୍କ ବ୍ୟାଗ୍‌ ମିଳିଥିଲା। ଏହାର ବର୍ଷକ ବାଦେ ଏଠାରୁ ଜଣେ ଫରାସୀ ପର୍ବତାରୋଗୀ ଏୟାର ଇଣ୍ଡିଆ ଲୋଗୋ ଥିବା ଏକ  ଧାତବ ବାକ୍ସ ମଧ୍ୟ ପାଇଥିଲେ। ଏହା ଛଡା ପରବର୍ତ୍ତି ସମୟରେ ଏଠାରୁ ମାନବ ଶରୀର ଅବେଶଷ ମଧ୍ୟ ମିଳିଥିଲା। ହୁଏତ ଏହା ସେହି ହତଭାଗ୍ୟ ଏୟାର ଇଣ୍ଡିଆ ବିମାନର କୌଣସି ଯାତ୍ରୀଙ୍କର ହୋଇଥାଇପାରେ ଅଥବା ଏହା ପୂର୍ବରୁ ଏଠାରେ ୧୯୫୦ ମସିହାରେ ହୋଇଥିବା ଅନ୍ୟ ଏକ ଦୁର୍ଘଟଣାଗ୍ରସ୍ତ ବିମାନର କେହି ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.