ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟିକାକରଣ, ସନ୍ଧ୍ୟା ୫ଟା ସୁଦ୍ଧା ୨ କୋଟି ଲୋକ ନେଲେଣି ଟିକା

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଟିକାକରଣ ନୂଆ ରେକର୍ଡ ତିଆରି କରିଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦେଶରେ ରେକର୍ଡ ୨ କୋଟିରୁ ଉର୍ଦ୍ଧ୍ବ ଡୋଜ୍‌ ଟିକାକରଣ ହୋଇଛି । ସମସ୍ତ ରାଜ୍ୟ ଅଧିକରୁ ଅଧିକ ଟିକା ଦେବାକୁ ଚେଷ୍ଟା କରିଛନ୍ତି । କୋ-ଓ୍ବିନ୍‌ ଆପ୍‌ ଜରିଆରେ ଏ ନେଇ ସୂଚନା ମିଳିଛି ।

କୋ-ଓ୍ବିନ୍‌ ଆପ୍‌ରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳୁ ସନ୍ଧ୍ୟା ୫ଟା ଯାଏଁ ଦେଶରେ ୨ କୋଟି ଲୋକଙ୍କୁ ଟିକାକରଣ କରାଯାଇସାରିଛି । ଏହା ପ୍ରଥମ ଘଟଣା ଯେଉଁଥିରେ କି ରେକର୍ଡ ସଂଖ୍ୟକ ଡୋଜ୍‌ ଦିଆଯିବା । ଅକ୍ଟୋବର ମଧ୍ୟକ୍ରମରେ ଦେଶରେ ୧୦୦ କୋଟି ଟିକାକରଣ ହୋଇଯିବ ବୋଲି ଅନୁମାନ କରାଯାଉଛି । ଶୁକ୍ରବାର ଦିନ ୧.୪୦ ସୁଦ୍ଧା ଦେଶରେ ଟିକାକରଣ ଏକ କୋଟି ପାର କରିଥିଲା । ଅନୁମାନ କରାଯାଉଛି ଯେ, ଆଜି ମୋଟ ଅଢେଇ କୋଟି ଡୋଜ୍‌ ଟିକାକରଣ ହୋଇପାରେ । ଦେଶର ପାଖାପାଖି ଲକ୍ଷେ କେନ୍ଦ୍ରରେ ଟିକାକରଣ ଜାରିରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ବର୍ଷରେ ପାଦ ଦେଇଛନ୍ତି । ଏହି କ୍ରମରେ ତାଙ୍କର ଜନ୍ମଦିନକୁ ବିଶେଷ ଭାବେ ନିଆଯାଇ ଦେଶରେ କୋଭିଡ୍‌ ଟିକାକରଣ ଶୁକ୍ରବାର ନୂଆ ରେକର୍ଡ ତିଆରି କରିଛି । ସଂକ୍ରମଣକୁ ରୋକିବା ପାଇଁ ଭ୍ୟାକସିନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ଟିକାକରଣ ମଧ୍ୟ ସେହିମାତ୍ରାରେ ଜାରି ରହିଛି ।

ବିଭିନ୍ନ ରାଜ୍ୟଙ୍କ ସହ ମିସି ବିଜେପି, ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ଲାଗି ବ୍ୟାପକ ଟିକାକରଣ ଅଭିଯାନ ହାତକୁ ନେଇଛି। ଟିକାକରଣରେ ରେକର୍ଡ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ପ୍ରଦାନ କରିଛି ଦଳ। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ବିହାର ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବ୍ୟାପକ କୋଭିଡ ଟିକାକରଣ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କ କୋଭିଡ ଟିକା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ। ଏଣୁ ସାରା ଦେଶରେ ନିଶୁଳ୍କ ଟିକାକରଣ ଅଭିଯାନ ଚାଲିଛି।

ବିହାର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଲାଗି ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ୩୦ ଲକ୍ଷ କୋଭିଡ ଟିକାକରଣର ଘୋଷଣା କରିଥିଲେ। ସେପଟେ ଉତ୍ତରପ୍ରଦେଶ ସରକାର ରାଜନୀତିରେ ମୋଦିଙ୍କ ସଫଳ ୨୦ ବର୍ଷ ଲାଗି ୨୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।  ‘ସେବା ଓ ସମର୍ପଣ ଅଭିଯାନ’ ନାମରେ ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ରାଜ୍ୟରେ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.