ପରାଜୟ ପରେ ବି ଦିଲ୍ଲୀ ଅଧିନାୟକ ପନ୍ତ ହାସଲ କଲେ ବଡ ରେକର୍ଡ, ଅନେକ କ୍ରିକେଟରଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | April 16, 2021 IST

ଚେନ୍ନାଇ ୧୬।୦୪ :  ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ  ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଓ୍ୱିକେଟରେ ପରାସ୍ତ କରି ଆଇପିଏଲ ୨୦୨୧ର ପ୍ରଥମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ଆଗରେ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ରାଜସ୍ଥାନ ୨ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା ।

ରାଜସ୍ଥାନ ପକ୍ଷରୁ ଡେବିଡ୍ ମିଲର ୬୨ ରନ୍ କରିଥିଲେ । ସେହିପରି କ୍ରିସ୍ ମୋରିସ୍ ୩୬ ରନ୍ କରି ମ୍ୟାଚର ଗତିପଥ ବଦଳାଇ ଦେଇଥିଲେ ।

ମୁକାବିଲାରେ ଋଷଭ ପନ୍ତଙ୍କ ବ୍ୟତୀତ ଆଉ କାହାର ବ୍ୟାଟ୍ ଚାଲିନଥିଲା । ସେ ୩୨ ବଲ୍‌ରୁ ୫୧ ରନ୍ କରିଥିଲେ । ଏହାପରେ ରନ୍ ଆଉଟ୍ ହୋଇଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ପନ୍ତ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।  ସେ ଆଇପିଏଲ ୨୦୧୮ ପରେ ସବୁଠାରୁ ଅଧିକ ୫୦ ବା ତାଠାରୁ ଅଧିକ ରନ୍ ସ୍କୋର କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି । ସେ ୨୦୧୮ ପରେ ୧୧ ଥର ୫୦ ବା ୫୦ରୁ ଅଧିକ ରନ୍ କରିଛନ୍ତି ।

ଏହି ତାଲିକାରେ ପନ୍ତଙ୍କ ପରେ ଶ୍ରେୟସ ଆୟାର ଓ ମନିଷ ପାଣ୍ଡେ ରହିଛନ୍ତି । ଉଭୟ ଖେଳାଳି ୧୦ ଥର ଏହି କାରନାମା କରିଛନ୍ତି । ସଞ୍ଜୁ ସାମସନ ଓ ସୁରେଶ ରାଇନା ଉଭୟ ୮ ଥର ଲେଖାଏଁ ୫୦ରୁ ଅଧିକ ରନ୍ କରିଛନ୍ତି । ଆଇପିଏଲରେ ରାଜସ୍ଥାନ ବିପକ୍ଷରେ ପନ୍ତ ୨୦,୬୯,୭୮, ୫୩,୫ ଓ ୫୧ ରନ୍ କରିଛନ୍ତି ।

ସେହିପରି ରାଜସ୍ଥାନ ବିପକ୍ଷରେ ପନ୍ତଙ୍କ ଆଭରେଜ୍ ସର୍ବାଧିକ ଅଟେ । ପନ୍ତଙ୍କ ଆଭରେଜ୍ ହେଉଛି ୬୯ । ଦ୍ୱିତୀୟ ସ୍ଥାନରେ କେଏଲ ରାହୁଲ ରହିଛନ୍ତି । ରାହୁଲଙ୍କ ଆଭରେଜ୍ ହେଉଛି ୬୦.୧୨ । ସେହିପରି ସନ୍ ମାର୍ସଙ୍କର ୫୮.୪୨ ଓ ମାଇକ ହସୀଙ୍କର ଆଭରେଜ୍ ହେଉଛି ୫୮.୩୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.