ମଧ୍ୟ ପ୍ରଦେଶ ପଲିଟିକ୍ସ: ବିଦ୍ରୋହୀ ବିଧାୟକ କହିଲେ- ବିଜେପିରେ ସାମିଲ ହୋଇନୁ, କଂଗ୍ରେସରେ ଅଛନ୍ତି ଆହୁରି ଅସନ୍ତୁଷ୍ଟ ବିଧାୟକ

Published By : Prameya-News7 Bureau | March 17, 2020 IST

ଭୋପାଳ ୧୭।୦୩: ମଧ୍ୟ ପ୍ରଦେଶ ବିଧାନସଭାରେ ବହୁମତ ପରୀକ୍ଷଣକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। ମାମଲା ସୁପ୍ରିମକୋର୍ଟ ଯାଇ ପହଞ୍ଚିଛି। ଏହା ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥକ ଗୋବିନ୍ଦ ସିଂହ ରାଜପୁତ  କହିଛନ୍ତି ଯେ, ମନ୍ତ୍ରୀ ହେବା ପରେ ମଧ୍ୟ ଆମେ ଶାନ୍ତିରେ କାମ କରି ପାରିନଥିଲୁ। ଡନ ବାକ୍ସୋ ଚର୍ଚ୍ଚରୁ ବାହାରି ସେ କହିଛନ୍ତି ଯେ, ସଂପ୍ରତି ଆମେ ନିଜକୁ ସୁରକ୍ଷିତ ମଣୁନୁ। ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ୍ କରାଯାଉଛି ତେବେ ଆମକୁ ମଧ୍ୟ ଟାର୍ଗେଟ୍ କରାଯାଇପାରେ।

ଏହା ସହିତ ଗୋବିନ୍ଦ ସିଂହ ରାଜପୁତ କେନ୍ଦ୍ରଠୁ ସୁରକ୍ଷା ଦାବି କରିଛନ୍ତି। ଅନ୍ୟପଟେ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମେ ବିଜେପିରେ ସାମିଲ ହୋଇନୁ, ଆମର ଅଲଗା ଦଳ ରହିଛି ଏବଂ ବିଜେପିରେ ସାମିଲ ନେଇ ଆମେ ପରେ ସ୍ଥିର କରିବୁ। ସିନ୍ଧିଆଙ୍କ ସମର୍ଥକ ବିଧାୟକ ବେଙ୍ଗାଲୁରୁରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଗୋବିନ୍ଦ ସିଂହ ରାଜପୁତ ଦୃଢତାର ସହ କହିଛନ୍ତି  ଯେଉଁ  ବିଧାୟକ ଜୟପୁରରେ ଅଛନ୍ତି ସେମାନେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ଆମେ ସମସ୍ତେ କରୋନା ଭୂତାଣୁ ନେଇ ବହୁତ ଚିନ୍ତିତ ଅଛୁ। ଅପରପକ୍ଷେ ସିନ୍ଧିଆ ସମର୍ଥକ କଂଗ୍ରେସର ବିଦ୍ରୋହୀ ବିଧାୟକ ତୁଳସୀ ସିଲାଓ୍ଵଟ କହିଛନ୍ତି ଯେ, ମଧ୍ୟ ପ୍ରଦେଶ ସରକାର କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ଵରେ ହିଁ ଗଠନ ହୋଇଥିଲା।

ବିଦ୍ରୋହୀ ବିଧାୟକ କହିଛନ୍ତି, ଆମେ ଏଠାକୁ ସ୍ଵଇଚ୍ଛାରେ ଆସିଛୁ। ଆମକୁ ଏଠାରେ ବନ୍ଧକ କରାଯାଇ ନାହିଁ। ଯେବେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ ଆସିଲା ତେବେ ରାହୁଲ ଦୁଇଟି ଚେହେରା ସାମ୍ନାକୁ ଆଣିଥିଲେ। ସେ ହେଉଛନ୍ତି କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସରକାର ଗଠନ ପରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା। ଏହା ପରେ କମଲନାଥଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିଲା। ସେ ଆମ କଥା କେବେ ବି ଶୁଣିଲେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.