ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ପ୍ରଦାନକୁ ବିଜେପି କର୍ମୀଙ୍କ ପ୍ରତିବାଦ : ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Published By : Prameya-News7 Bureau | March 22, 2019 IST

ଭୁବନେଶ୍ବର ୨୨|୩ (ଅନିରୁଦ୍ଧ ମିଶ୍ର) :  ହୋଲି ସଦଭାବନା, ସ୍ନେହ, ପ୍ରେମ ଓ ଭାଇଚାରାର ପର୍ବ । ହୋଲିର ରଙ୍ଗରେ ଶତ୍ରୁ ମଧ୍ୟ ମିତ୍ର ପାଲଟିବାର ଅନେକ ନଜିର ଅଛି । କିନ୍ତୁ ମୁଣ୍ଡ ଉପରେ ନିର୍ବାଚନ । ଆଉ ଯଦି ନିଜ ପ୍ରିୟ ନେତାଙ୍କୁ ଟିକେଟ ନମିଳିଲା, ତାହେଲେ ହୋଲି ପାଣିଚିଆ ହେବା ଅସମ୍ଭବ ନୁହେଁ । ଏହାର ଆଉ ଏକ 'ଆକ୍ସନ ରିପ୍ଲେ' ଦେଖିବାକୁ ମିଳିଥିଲା ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ । ଦଳର ବର୍ଷ ବର୍ଷର ପୁରୁଣା ଯୁବନେତାଙ୍କୁ ଅଣଦେଖା କରି, ଅନ୍ୟ ଦଳରୁ ନିକଟରେ ପଦ୍ମ ପୋଖରୀକୁ ଡେଇଁଥିବା ବ୍ୟକ୍ତିଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ଭୁବନେଶ୍ବର-ଏକାମ୍ର ଅଞ୍ଚଳର କିଛି ଦଳୀୟ କର୍ମୀ ପ୍ରତିବାଦ କରଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟ ମୁଖ୍ୟ ଗେଟରେ ସେମାନେ ତାଲା ପକାଇ ଧାରଣାରେ ବସିଥିଲେ । ତାଙ୍କ ନେତାଙ୍କୁ ଟିକେଟ ନ ଦେଲେ, ସେମାନେ ଦଳରୁ ସମୁହ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।

ସାଧାରଣତଃ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରତିବର୍ଷ ଧୁମ୍‌ଧାମ୍‌ରେ ହୋଲି ପାଳନ କରାଯାଇଥାଏ । ମାତ୍ର, ଆଜି ସକାଳର ଦୃଶ୍ୟ ଥିଲା ଭିନ୍ନ । କାରଣ ଗତ ରାତିରେ ଘୋଷଣା କରାଯାଇଥିବା ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର-ଏକାମ୍ର ବିଧାନସଭା ଆସନରେ ଗତଥରର ଦଳୀୟ ପ୍ରାର୍ଥୀ ଅମୀୟ ଦାଶଙ୍କୁ ବାଦ୍ ଦିଆଯାଇଥିଲା । ଅମୀୟଙ୍କ ବଦଳରେ ନିକଟରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ସେହି ବିଧାନସଭାକ୍ଷେତ୍ରରେ ପ୍ରାର୍ଥୀ କରିଛି ଦଳ । ଏହା ଅନ୍ୟାୟ ଓ ଅଯୌକ୍ତିକ ବୋଲି ପ୍ରତିବାଦ କରି ଦଳର ପୁରୁଣା କର୍ମୀ ଅଭିଯୋଗ କରିଥିଲେ । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ ।

{"id":95797}

ପ୍ରକାଶଯୋଗ୍ୟଯେ, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ବିଜେପିରୁ ଏଥର କିଏ ଟିକେଟ ପାଇବେ ତାକୁ ନେଇ ଆକଳନ ଚାଲିଥିଲା । ମାତ୍ର, ଗୁରୁବାର ରାତିରେ ବିଜେପି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଲୋକସଭା ଆସନ ଓ ୯୯ଟି ବିଧାନସଭା ସିଟ୍ ପାଇଁ ଦିଲ୍ଲୀରୁ ପ୍ରାର୍ଥୀ ତାଲିକା ପ୍ରକାଶ କଲା । କିନ୍ତୁ, ଏଥର ଟିକେଟ ବଣ୍ଟନରେ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଗୁରୁତ୍ୱ ଦିଆଯିବାକୁ କର୍ମୀମାନେ ନାପସନ୍ଦ କରିଛନ୍ତି । ଆଜି ଧାରଣାରେ ବସିଥିବା ଭୁବନେଶ୍ବର-ଏକାମ୍ର ବିଧାନସଭା କ୍ଷେତ୍ରର କର୍ମୀଙ୍କୁ ଖୋଦ୍ ଅମୀୟ ଦାଶ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ପ୍ରତିବାଦରୁ ଓହରି ନଥିଲେ । ସେପଟେ, ଦଳର ବର୍ଷୀୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କିନ୍ତୁ ଆଶାବାଦୀ ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ । ଉଭୟ କେନ୍ଦ୍ର ଓ ରାଜ୍ୟରେ ନିର୍ବାଚନୀ ସଫଳତା ପରେ ବିଜେପି ଭୋଟ୍ ଗଣତି ପରେ ଅସଲ ହୋଲି ପାଳିବ ବୋଲି ସେ କହିଛନ୍ତି ।

ଗତ ଥର ଭୁବନେଶ୍ବର-ଏକାମ୍ର ଆସନରେ ବିଜେଡିର ଅଶୋକ ପଣ୍ଡା ଅମୀୟଙ୍କୁ ପରାଜିତ କରିଥିଲେ । ଏଥର ସେ ହାଟ୍ରିକ କରିବାର ଆକଳନ ଚାଲିଛି । ମାତ୍ର, ଅମୀୟଙ୍କ ସମର୍ଥକଙ୍କ ଯୁକ୍ତି ଟିକେଟ ମିଳିଲେ ଏଥର ଅମୀୟ ହିଁ ବାଜି ମାରିବେ । ଦଳର ପୁରୁଣା ନେତାଙ୍କୁ ଉପେକ୍ଷା କରି ଅନ୍ୟ ଦଳରୁ ଆସିଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ କର୍ମୀଙ୍କ ବିରୋଧ କିଛି ନୂଆ ଘଟଣା ନୁହେଁ । ମାତ୍ର, ଏହା ନିର୍ବାଚନୀ ଫଳାଫଳକୁ କେତେ ପ୍ରଭାବିତ କରିବ ତାହା ହିଁ ଅସଲ ପ୍ରସଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.