ଦୁର୍ଯ୍ୟୋଧନଙ୍କ କନ୍ୟା ସହ ଶ୍ରୀକୃଷ୍ଣ କାହିଁକି ନିଜ ପୁଅର ବିବାହ କରିଥିଲେ ଜାଣନ୍ତୁ ...

Published By : Prameya-News7 Bureau | August 23, 2019 IST

ମହାଭାରତର କେତେକ ଉପକଥା ସମ୍ପର୍କରେ ଆମର ଧାରଣା ନଥାଏ । କିନ୍ତୁ ଏହି ସବୁ ଉପକଥା ବେଶ ରୋଚକ ହୋଇଥାଏ । ସେମିତି ଏକ ରୋଚକ କାହାଣୀ ହେଉଛି ଶ୍ରୀକୃଷ୍ଣଙ୍କ ପୁଅ ଓ ଦୁର୍ଯ୍ୟୋଧନଙ୍କ ଝିଅର ବିବାହ । ସମସ୍ତେ ଜାଣନ୍ତି ଶ୍ରୀକୃଷ୍ଣ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ କେବେ ବି ଭଲ ସମ୍ପର୍କ ନଥିଲା । କୃଷ୍ଣ ପାଣ୍ଡବଙ୍କ ହିତୈଷୀ ହୋଇଥିବାରୁ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନ ଶତ୍ରୁ ବୋଲି ବିବେଚନା କରୁଥିଲେ । ସେହିଭଳି ଅଧର୍ମ ପଥରେ ଦୁର୍ଯ୍ୟୋଧନ ପରିଚାଳିତ ହେଉଥିବାରୁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କୁ ଭଲ ପାଉନଥିଲେ ।

ତେବେ ଆଶ୍ଚର୍ଯ୍ୟର କଥା ଏ ଦୁଇ ଶତ୍ରୁଙ୍କ ପୁଅ ଝିଅଙ୍କ ମଧ୍ୟରେ ବିବାହ ହୋଇଥିଲା । କେବଳ ସେତିକି ନୁହଁ ଏହି ବିବାହରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ କୋଦ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣଙ୍କ ଅନେକ ପୁତ୍ରଙ୍କ ମଧ୍ୟରୁ ଶାମ୍ବ ଅତି ପ୍ରସିଦ୍ଧ ଓ ବିଶିଷ୍ଟ ଯୋଦ୍ଧା ମଧ୍ୟ । ଶାମ୍ବଙ୍କୁ ଶ୍ରୀକୃଷ୍ଣ ବହୁତ ଭଲ ପାଉଥିଲେ । ତେବେ ଶାମ୍ବ ଭଲ ପାଇ ବସିଥିଲେ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣାଙ୍କୁ ।

ଶାମ୍ବଙ୍କୁ ବିବାହ କରିବାକୁ ଚାହୁଁଥିବା ନେଇ ନିଜ ପିତା ଦୁର୍ଯ୍ୟୋଧନଙ୍କୁ ଲକ୍ଷ୍ମଣା ଜଣାଇଥିଲେ । ତେବେ ନିଜ କନ୍ୟାକୁ କୌଣସିମତେ ଶତ୍ରୁର ପୁତ୍ର ସହ ବିବାହ ଦେବାକୁ ଦୁର୍ଯ୍ୟୋଧନ ରାଜି ନଥିଲେ ।ନିଜ କନ୍ୟାର ଇଚ୍ଛାକୁ ଉପେକ୍ଷା କରି ଦୁର୍ଯୋୟଧନ କନ୍ୟା ଲକ୍ଷ୍ମଣାଙ୍କ ପାଇଁ ସ୍ବୟମ୍ବରର ଆୟୋଜନ କରିଥିଲେ । ହେଲେ ଏହି ସ୍ବୟମ୍ବରକୁ ଯାଦବମାନଙ୍କୁ ନିମନ୍ତ୍ରଣ କରିନଥିଲେ ।  ପିତାଙ୍କ ଏଭଳି କାର୍ଯ୍ୟରେ ଲକ୍ଷ୍ମଣା ଅସନ୍ତୁଷ୍ଟ ହେଲେ ମଧ୍ୟ କିଛି କରିବାର ଉପାୟ ନଥିଲା ।

ତେବେ ସ୍ବୟମ୍ବରକୁ ଆମନ୍ତ୍ରିତ ହୋଇନଥିଲେ ମଧ୍ୟ ନିଜ ସୈନ୍ୟସାମନ୍ତ ନେଇ କୃଷ୍ଣଙ୍କ ପୁତ୍ର ଶାମ୍ବ ସ୍ବୟମ୍ବରରେ ପହଞ୍ଚିବା ସହ ଲକ୍ଷ୍ମଣାଙ୍କୁ ଅପହରଣ କରିନେଇଥିଲେ । ଫଳରେ ଦୁର୍ଯ୍ୟୋଧନ ନିଜ ସେନା ବାହିନୀ ସହ ଶାମ୍ବଙ୍କ ପିଚ୍ଚା କରି ଶାମ୍ବଙ୍କ ସହ ଯୁଦ୍ଧ କରିଥିଲେ । ଯୁଦ୍ଧରେ ଶାମ୍ବ ପରାସ୍ତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନ ତାଙ୍କୁ ବନ୍ଦୀ କରିଦେଇଥିଲେ ।

ଏକଥା ଶୁଣିବାପରେ ବଳରାମ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇ ଶାମ୍ବଙ୍କୁ ମୁକ୍ତ କରିବା ସହ ଲକ୍ଷ୍ମଣା ଓ ଶାମ୍ବଙ୍କ ବିବାହ କରାଇବା ଲାଗି ଦୁର୍ଯ୍ୟୋଧନଙ୍କୁ ବହୁ ବୁଝାଇଥିଲେ । ତେବେ ଦୁର୍ଯ୍ୟୋଧନ କୌଣସି କଥା ଶୁଣିବା ପରିସ୍ଥିତିରେ ନଥିଲେ । ଶେଷରେ ବାଧ୍ୟ ହୋଇ ଶ୍ରୀକୃଷ୍ଣ ନିଜେ ଦୁର୍ଯ୍ୟୋଧନଙ୍କ ନିକଟେ ପହଞ୍ଚିଥିଲେ ଓ ଦୁର୍ଯ୍ୟୋଧନଙ୍କୁ ବୁଝାଇଥିଲେ ।

ଶ୍ରୀକୃଷ୍ଣ କହିଥିଲେ ଯେ, ‘ଆମ ଭିତରର ଶତ୍ରୁତା ପାଇଁ ପିଲାମାନଙ୍କ ଇଚ୍ଛା ଓ ସେମାନଙ୍କ ପ୍ରେମକୁ ଅସମ୍ମାନ କରିବା ଠିକ ହେବ ନାହିଁ । ଏହା ଫଳରେ ଉଭୟେ ଦୁଃଖୀ ରହିବେ । ପରସ୍ପର ସେମାନେ ଯଦି ସୁଖରେ କାଳାତିପାତ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ତାକୁ ସମ୍ମାନ କରିବା କଥା ।‘ ଏହିଭଳି ବହୁତ ବୁଝାଇବା ପରେ ଦୁର୍ଯ୍ୟୋଧନ ରାଜି ହୋଇଥିଲେ । ଶେଷରେ ଶାମ୍ବ ଓ ଲକ୍ଷ୍ମଣାଙ୍କ ବିବାହ ସମ୍ପନ୍ନ ହୋଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.