ଟ୍ରାଫିକ୍ ଫାଇନ୍‌କୁ ନେଇ କାହିଁକି ରାଜମହଲ ଛକ ରଣକ୍ଷେତ୍ର ପାଲଟିଲା ? ଜାଣନ୍ତୁ ପୂରା ଘଟଣା…

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭|୯ : ଟ୍ରାଫିକ୍‌ ଫାଇନ୍‌ ଆଦାୟକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଲା ରାଜଧାନୀର ରାଜମହଲ ଛକ । ମୋ ବସ୍‌, ବିଏମ୍‌ସି ଏପରିକି ପୋଲିସ୍‌ ଗାଡି ଡ୍ରାଇଭର ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ ଅଭିଯୋଗ କରିଥିଲେ ଲୋକେ ।ପୋଲିସ ଗାଡି ଅଟକାଇ ହୋ ହଲ୍ଲା କରିଥିଲେ । ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ।

{"id":154453}

ଟ୍ରାଫିକ୍‌ ଫାଇନ୍‌ ଆଦାୟକୁ ନେଇ ବଢିଲା ଟେନସନ୍‌ । ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଯୋଗୁଁ ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର । ଦେଖନ୍ତୁ ଏହି ସବୁ ଦୃଶ୍ୟକୁ । କିଭଳି ରଣକ୍ଷେତ୍ର ପାଲଟିଛି ରାଜମହଲ ଛକ । ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ କରିଛି ପୋଲିସ । ରାଜ ମହଲ ଛକରେ ଟ୍ରାଫିକ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ଏକ ଗଣମାଧ୍ୟମ ଗାଡ଼ିକୁ ଅଟକାଇଥିଲେ । ଆଗ ସିଟ୍‌ରେ ବସିଥିବା ମହିଳା ରିପୋର୍ଟର ସିଟ୍ ବେଲ୍ଟ ବାନ୍ଧି ନଥିବାରୁ ହଜାରେ ଟଙ୍କା ଫାଇନ କରିଥିଲେ ।

{"id":154454}

ସେଠାରେ ଥିବା ଲୋକମାନେ ପୋଲିସ ଗାଡ଼ିର ଡ୍ରାଇଭର ସିଟ୍‌ ବେଲ୍ଟ ବାନ୍ଧିନଥିବା ଏବଂ ଗାଡିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଅଛି କି ନାହିଁ ଖୋଜିଥିଲେ । ଓଭରଲୋଡ଼ିଂ କରି ସେହିବାଟ ଦେଇ ଯାଉଥିବା ମୋ ବସ୍‌ ରୁ ବି ଫାଇନ କାଟିବାକୁ ଜିଦ୍ ଧରିଥିଲେ । ଏପରିକି ସେହିବାଟ ଦେଇ ଯାଉଥିବା ଏକ ବିଏମ୍‌ସି ଟ୍ରକ୍‌କୁ ବି ଲୋକେ ଅଟକାଇଥିଲେ ।ବିଏମ୍‌ସି ଟ୍ରକ୍ ଡ୍ରାଇଭର ସେଠାରୁ ଦୌଡି ପଳାଇଥିଲା ।

{"id":154455,"width":580,"height":430}

ଯାହାକୁ ନେଇ ରଜମହଲ ଛକରେ ଉତ୍ତେଜନା ବଢିବାରେ ଲାଗିଥିଲା । ସେଠାରେ ଭୁବନେଶ୍ବର ଡିସିପି ସଦଳେବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଲୋକେ କୌଣସି କଥା ଶୁଣିବାକୁ ରାଜି ହୋଇନଥିଲେ ଲୋକେ ।ସରକାରୀ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ସହ ଏଥିପ୍ରତି ପୁଲିସ୍‌ କୋହଳ ମନୋଭାବ ପୋଷଣ କରୁଥିବା ଲୋକେ ଅଭିଯୋଗ କରିଥିଲେ ।   

{"id":154456,"width":579,"height":427}

ରାଜମହଲ ଛକରେ କ୍ରମଶଃ ଉତ୍ତେଜନା ବଢିବାରେ ଲାଗିଥିଲା । ହଜାର ହଜାର ଲୋକ ଏକାଠି ହୋଇଥିଲେ । ଘଟଣା ସ୍ଥଳରେ ଅଧିକ ଫୋର୍ସ ସହ ପୋଲିସ କମିଶନର, ଟ୍ରାଫିକ୍ ଡିସିପି, ଏସିପି, ବିଭିନ୍ନ ଥାନାର ଆଇଆଇସି ପହଞ୍ଚିଥିଲେ  । ପୋଲିସ ସହ ଉତ୍ତ୍ୟକ୍ତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା ।

{"id":154457,"width":579,"height":431}

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ଯାହାକୁ ଦେଖିଥିଲା ତାକୁ ପିଟିଥିଲା । ଏପରିକି ଗଣମାଧ୍ୟମ ପ୍ରତିନିଧି ବି ଏଥିରୁ ବାଦ୍ ପଡିନଥିଲେ । ଆଉ ଏ ହେଉଛି ଲାଠିଚାର୍ଜ ବେଳର ଦୃଶ୍ୟ । ଏହି ଘଟଣା ପରେ ପୋଲିସ କମିଶନର ଓ ଟ୍ରାଫିକ୍‌ ଡିସିପି କହିଛନ୍ତି ନିୟମ ସମସ୍ତଙ୍କ ପାଇଁ ସମାନ ରହିବ ।

{"id":154458,"width":579,"height":426}

ସରକାରୀ ହେଉ କି ବେସରକାରୀ ଗାଡି, ଯେଉଁ ଗାଡି ଚାଳକ ଟ୍ରାଫିକ୍ ନିୟମ ପାଳନ ନ କରିବେ ତାଙ୍କ ଠାରୁ ଫାଇନ୍‌ ଆଦାୟ କରାଯିବ । ତେବେ ଲୋକେ ଟ୍ରାଫିକ୍ ନିୟମ ପାଳନ କରିବା ଉଚିତ୍‌ ।  

{"id":154459,"width":580,"height":430}

ଲୋକଙ୍କ ପୁଞ୍ଜିଭୂତ ରାଗ ବଢୁଥିବା ଦେଖି ରାଜଧାନୀରେ ପୋଲିସ କିଛିଟା ଟ୍ରାଫିକ୍ ନିୟମକୁ କୋହଳ କରିଛି । ଯେଉଁ ପୋଲିସ କର୍ମଚାରୀମାନେ ନିୟମକୁ ମାନୁ ନାହାନ୍ତି କିମ୍ବା ବେଆଇନ୍ ଭାବେ ଅଧିକ ଫାଇନ୍‌ ଆଦାୟ କରୁଛନ୍ତି  ସେମାନଙ୍କୁ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନର ଚେତାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.